Odia News Portal

ରାଜ୍ୟରେ ବନ କର୍ମଚାରୀଙ୍କ ଛୁଟି ବାତିଲ୍

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଘଟଣାକୁ ନେଇ ଜଙ୍ଗଲ ଓ ପରିବେଶ ବିଭାଗର ବଡ ଘୋଷଣା । ରାଜ୍ୟର ସମସ୍ତ ଡିଭିଜନର ବନ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ସ୍ଥିତିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।ଗ୍ରୀଷ୍ମର ଆଗମନ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟୁଛି । ପାଗ ମୁଖ୍ୟତଃ ଶୁଖିଲା ରହୁଥିବା ବେଳେ ତାପମାତ୍ରା ଅଧିକ ରହୁଛି । ଜଙ୍ଗଲ ନିଆଁ ଆୟତ୍ତ କରିବାକୁ ସମସ୍ତ ପ୍ରକାର ପଦକ୍ଷେପ ସହ ପ୍ରତିଷେଧକ ବ୍ୟବସ୍ଥା ନେଇ ନେଇଛି ବନ ବିଭାଗ । କର୍ମଚାରୀ ମଧ୍ୟ ୨୪ ଘଣ୍ଟା ଆଲର୍ଟ ମୋଡରେ ଅଛନ୍ତି ଏବଂ ରାଜ୍ୟସ୍ତରରେ ସ୍ଥିତିର ମନିଟରିଂ କରାଯାଉଛି ।

କୌଣସି ବି କର୍ମଚାରୀ ବିନା ଅନୁମତିରେ ଛୁଟିରେ ରହି ପାରିବେ ନାହିଁ । ଛୁଟି ନେବା ଲାଗି ଡିଏଫଓ କିମ୍ବା ତା’ଠାରୁ ଉପରିସ୍ଥ ଅଧିକାରୀଙ୍କ ଅନୁମତି ନେବାକୁ ପଡ଼ିବ । ଛୁଟି ନେଇ ପିସିସିଏଙ୍କୁ ଅବଗତ କରାଯିବ । ଏନେଇ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠି ଲେଖି ସୂଚନା ଦେଇଛନ୍ତି । ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଅତି ଜରୁରୀ ଥିଲେ ହିଁ ଅଧିକାରୀମାନେ ଉଚ୍ଚ ଅଧିକାରୀଙ୍କ ଠାରୁ ଆଗୁଆ ଅନୁମତି ନେଇ ରହିପାରିବେ । ନଚେତ୍ କୌଣସି ବନ ଅଧିକାରୀ ଏବେ ଛୁଟିରେ ରହିପାରିବେ ନାହିଁ । ଯଦି କୌଣସି ଅଧିକାରୀ ଏହି ନିର୍ଦ୍ଦେଶକୁ ଅବହେଳା କରନ୍ତି ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି ।