ରାଜକନିକା: ଦିନେ ଥିଲା ଫୁଟବଲ ଖେଳପ୍ରତି ଏକ ନିଆରା ଆସକ୍ତି ।ଖେଳ ଦେଖୁ ଦେଖୁ ଆପେ ଗୋଡ ଉଠି
ଯାଉଥିଲା । ସେଥିପାଇଁ ବିଶେଷ ଭାବେ ଫୁଟବଲ ଖେଳ ପାଇଁ ସେ ପାଗଳ ହେଇଥିଲେ ।ପାଗଳ ତ ନୁହେଁ ବରଂ
କହି ପାରିବା ଫୁଟବଲ ଖେଳକୁ ନିଜ ବ୍ରତ ଭାବେ ନେଇ ଦିବାନା ସାଜିଥିଲେ ।ଫଳରେ ନିଜ ଅଧ୍ୟବସାୟ ଓ ଦୃଢ
ମନୋବଳ ପାଇଁ ସେ ଏକଦା ହୋଇଗଲେ ଫୁଟବଲ ଖେଳର ହାଫ୍ ପୋଜିସନର ଜଣେ ଉଦୀୟମାନ ଯୁବ ଖେଳାଳି ।ରାଜ୍ୟର କୋଣେ ଅନୁକୋଣେ ବୁଲି ଫୁଟଵଲ ଖେଳି ପ୍ରଶଂସାକୁ ଗୋଟେଇ ଆଜିର ଦିନରେ କିନ୍ତୁ ଖେଳ ରୁ ମୁହଁ ମୋଡି ନେଇ ଜୋତା ପଲିସ କରି ନିଜ ଗୁଜୁରାଣମେଣ୍ଟାଉଛନ୍ତି ।ସେ ହେଉଛନ୍ତି ରାଜକନିକା ବ୍ଲକ ଅନ୍ତର୍ଗତ ବାଘବୁଦା ଗ୍ରାମରେ ରହି ଆସୁଥିବା ସୀମା ଦାସ ।ପେଶା ତାଙ୍କର ମୋଚି ବା ଜୋତା ପଲିସ କରିବା ।
ବାଣିଜ୍ୟିକ ପେଣ୍ଠସ୍ଥଳୀ ଓଳାଭରବଜାରର ମଧ୍ୟସ୍ଥଳୀର ମେଡିକାଲ ଆଡକୁ ଗଲେ ଡାହାଣ ପାଖ ରାସ୍ତା କଡକୁ ହିଁ ଚାହିଁଲେ ସୀମାଙ୍କ ଜୋତା ପଲିସର ଦୋକାନ ଆଖିରେ ପଡେ ।ହସ ହସ ମୁହଁରେ ସେ ଗରାଖିଙ୍କୁ ଉତ୍ତମ ସେବା ଯୋଗାଉ ଥିବା ଏଭଳି ଜଣେ ଉଦୀୟମାନ ଯୁବକଙ୍କ ସହ କଥା ହେଲା ବେଳେ ଫୁଟବଲ ଖେଳପ୍ରତି ତାଙ୍କର ଅହେତୁକ ଭାବାବେଗର କଥା କହି ସେ ଯେତିକି ଖୁସି ହେଉଥିଲେ ସେତିକି ମଧ୍ୟ ଦୁଃଖ ପ୍ରକାଶ କରୁଥିଲେ ଖେଳରୁ ଅଲବିଦା ହେବା । ସଂଘର୍ଷମୟ କାହାଣୀ କହିଲା ବେଳେ ସେ କେବଳ ଅଭାବ ଯୋଗୁଁ ହିଁ ଖେଳରୁ ସନ୍ୟାସ ନେବା କଥା କହିଥିଲେ ।ଏକଦା ରାଜକନିକାର ଫୁଟବଲ ଖେଳର ଏନ୍ତୁଡ଼ିଶାଳ କୁହାଯାଉଥିବା ବାଘଵୁଦା ଫୁଟବଲ ଟିମ୍ ସମଗ୍ର ରାଜ୍ୟରେ ନାଁ କମେଇ ବିଭିନ୍ନ ସମୟରେ କଟକ ବାରବାଟି ଷ୍ଟାଡିୟମ ,ଭୂବନେଶ୍ବର, ଭଦ୍ରକ,ବାଲେଶ୍ବର, କେନ୍ଦୁଝର,ବାସୁଦେବପୁର,ଅନୁଗୋଳ, କଳାହାଣ୍ଡି ଏମିତି ସ୍ଥାନରେ ଫୁଟବଲ ଖେଳରେ ଅଂଶଗ୍ରହଣର ବେଳେ ହାଫ୍ ପୋଜିସନର ଏହି ପ୍ରଚଣ୍ଡ ଖେଳାଳି ସୀମାଙ୍କ ନେତୃତ୍ବ ହିଁ ନିର୍ଣ୍ଣାୟକ ଭୂମିକା ତୁଲାଇବାର ମହାର୍ଘ୍ୟ ସମୟରେ ସୀମାଙ୍କ ନାଁ ବେଶ୍ ଚର୍ଚ୍ଚା ହୋଇ ପ୍ରତିପକ୍ଷ ଖେଳାଳିଙ୍କ ପାଇଁ ଭୟଙ୍କର ଖେଳାଳି ଭାବେ ଉଭାହେଇ ପାରିଥିଲେ ।
କେବଳ ଯେ ସେ ଫୁଟବଲ ଖେଳରେ ରୁଚି ରଖୁଥିଲେ ତାହା ନୁହେଁ ବରଂ ଧିରେ ଧିରେ ଏହି ଖେଳ ପ୍ରତି ମୁହଁ ମୋଡୁଥିବା ଖେଳକୁ ବଞ୍ଚାଇ ରଖିବାର ଅଭିପ୍ରାୟ ନେଇ ସେ ମଧ୍ୟ କେତେକ ନବାଗତ ପିଲାଙ୍କୁ ପ୍ରଶିକ୍ଷଣ ଦେଉଥିଲେ ବୋଲି କହିଥିଲେ । ପରବର୍ତ୍ତୀ ସମୟରେ ଫୁଟବଲ ପ୍ରତି ଆଦର ଗ୍ରାମାଞ୍ଚଳରେ କମିବା ଫଳରେ ଆଉ ସେମିତି ଫୁଟବଲ ଖେଳ ହେଉ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ ।ଅପରପକ୍ଷରେ ସେନିଜକୁ ପାଠପଢାରେ କମଜୋର ଥିବା ନେଇ ସବୁବେଳେ ନ୍ୟୁନ ମନେକରି ଦୁଃଖ ପ୍ରକାଶ କରନ୍ତି ।ବାପମାଙ୍କର ସେ ତିନିପୁଅ ଆଉ ଜଣେ ଭଉଣୀଙ୍କୁ ମିଶାଇ ସାତଜଣଙ୍କ ମଧ୍ୟରେ ଅନ୍ୟଭାଇ ମଧ୍ୟ ନିଜ ପରିବାରର ପରମ୍ପରା ଅନୁସାରେ ଜୋତା ପଲିସ କରୁଛନ୍ତି ।
ସୀମାଙ୍କ ଖେଳ ପ୍ରତି ରୂଚି ଆଉ ଆଗ୍ରହ ଦଶବର୍ଷ ତଳେ ଏଭଳି ଥିଲା ଯେ ସବୁ ବେଳେ ଖେଳକୁ ନେଇ ବ୍ୟସ୍ତ ।ହେଲେ ପରିବାରର ଆର୍ଥିକ ସ୍ଥିତିକୁ ଦେଖି ସେ ବାଧ୍ୟ ହୋଇ ଫୁଟବଲ ଖେଳରୁ ମୁହଁ ମୋଡି ନେବା ଆଜି ବି ତାଙ୍କୁ ଏବେ ବିବ୍ରତ କରୁଛି । ଏବେ ସୁଯୋଗ ଆସିଲେ ଫୁଟବଲ ଖେଳିଵକି ପ୍ରଶ୍ନରେ ସେ ଅନ୍ନ ଚିନ୍ତା ଚମତ୍କାର କଥା କହି ଏଡେଇ ଗଲାବେଳେ କିନ୍ତୁ ତାଙ୍କ ବିଗତ ଦିନର ଖେଳୁଆଡ ମନୋଭାବର କଥା ବାରମ୍ବାର କହନ୍ତି ।ଆଜି ସେ ବିବାହିତ ଗୋଟେ କନ୍ୟା ସନ୍ତାନର ଜନକ ।ରାତି ପାହିଲେ ପରର ଜୋତା ପଲିସ କରି ମିଳୁଥିବା ଅର୍ଥ ହିଁ ତାଙ୍କ ଜୀବନ ଜିବିକାର ମାଧ୍ୟମ ପାଲଟିଛି ।ଦିନେ ଖେଳରେ ସିନା ନାଁ କମେଇ ପ୍ରଶଂସା ସାଉଁଟି ଥିଲେ ହେଲେ ଆଜି ସେ ଅପାଠୁଆ ଭାଵେ ତାଙ୍କ ସାମର୍ଥ୍ୟ ଅନୁସାରେ ନିଜ କୈଳିକବୃତ୍ତିକୁ ପେଶା ଭାବେ ଗ୍ରହଣ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ।