ଭୁବନେଶ୍ୱର: ଓଡ଼ିଶା ଆଡ଼କୁ ଧିରେ ଧିରେ ମାଡ଼ି ଆସୁଛି ବାତ୍ୟା ୟସ୍ । ତେବେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ୫ ଜିଲ୍ଲାରେ ୫ ବରିଷ୍ଠ ଅଧିକାରୀଙ୍କୁ ଦିଆଯାଇଛି ଗୁରୁତ୍ବପୂର୍ଣ୍ଣ ଦାୟିତ୍ଵ। ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ୫ଟି ଜିଲ୍ଲା ପାଇଁ ୫ ଜଣ ଆଇଏଏସଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ।୫ ଆଇଏଏସଙ୍କ ମଧ୍ୟରୁ ବାଲେଶ୍ୱରରେ ବିଶାଲ ଦେବ, ଭଦ୍ରକରେ ଭିଭି ଯାଦବ, କେନ୍ଦ୍ରାପଡା ପାଇଁ ହେମନ୍ତ ଶର୍ମା, ଜଗତସିଂହପୁର ପାଇଁ ଶାଶ୍ୱତ ମିଶ୍ର, ଏବଂ ମୟୁରଭଞ୍ଜ ପାଇଁ ସୁରେଶ ବଶିଷ୍ଠଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି ।
ବାତ୍ୟାର ସଠିକ ମୁକାବିଲା ନିମନ୍ତେ, ଏହି ୫ ଜିଲ୍ଲାର ବରିଷ୍ଠ ଅଧିକାରୀ ଜିଲ୍ଲା ପ୍ରଶାସନକୁ ସହାୟତା କରିବେ । ସେହିପରି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ୟାସ, ବାତ୍ୟାର ରୂପ ନେଇସାରିଥିବାବେଳେ ଏହା ୨୬ ତାରିଖ ବେଳକୁ ଓଡିଶା ଉପକୂଳରେ ପହଞ୍ଚିବ।ଏବଂ ମଧ୍ୟାହ୍ନ ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।