ସୁନ୍ଦରଗଡ଼: ସୁନ୍ଦରଗଡ଼ ପୋଲିସ କୁ ବଡ଼ ସଫଳତା । ସୁନ୍ଦରଗଡ଼ରେ ଗତ ୧ ତାରିଖରେ ଘଟିଥିବା ବହୁ ଚର୍ଚ୍ଚିତ ଲୁଟ୍ ଓ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି । ଲୁଟ୍ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ସୁନ୍ଦରଗଡ଼ ପୋଲିସ । ଘଟଣା ପରଠୁ ସୁନ୍ଦରଗଡ଼ ଏସପି ସାଗରିକା ନାଥଙ୍କ ନିର୍ଦ୍ଦେଶରେ ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ଚଳାଇଥିବା ସ୍ୱତନ୍ତ୍ର ଟାସ୍କ ଫୋର୍ସ ବିହାର ଓ ଝାଡ଼ଖଣ୍ଡରେ ଚଢ଼ାଉ କରି ଲୁଟେରାମାନଙ୍କୁ ଗିରଫ କରିଛି । ଲୁଟେରାଙ୍କଠାରୁ ଜବତ ହୋଇଛି ସୁନା, ଟଙ୍କା ସହ ବନ୍ଧୁକ ସମେତ ମାରଣାସ୍ତ୍ର ।
ସୁନ୍ଦରଗଡ ଜିଲ୍ଲା ବଡଗାଁରେ ଗତ ମାର୍ଚ୍ଚ ୧ ତାରିଖରେ ସକାଳ ୯ ଟାରେ କିଛି ଦୁର୍ବୃତ୍ତ ସୁନା ବ୍ୟବସାୟୀ ରୋହିତ ବର୍ମାଙ୍କ ଉପରକୁ ଗୁଳିମାଡ କରିଥିଲେ । ତାପରେ ସେ ଧରିଥିବା ବ୍ୟାଗ୍ ଲୁଟି ଫେରାର ହୋଇ ଯାଇଥିଲେ । ଗୁରୁତର ଆହତ ରୋହିତ ବର୍ମା ରାଉରକେଲାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ଘଟଣାର ତଦନ୍ତ ପାଇଁ ୩ଟି ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇ ରାଜ୍ୟ ସମେତ ପଡୋଶୀ ରାଜ୍ୟରେ ମଧ୍ୟ ଛାନଭିନ୍ ଆରମ୍ଭ କରାଯାଇଥିଲା । ବିହାର ଓ ଝାଡଖଣ୍ଡ ପୋଲିସ ସହଯୋଗରେ ସୁନ୍ଦରଗଡ ପୋଲିସ ଚଢଉ କରି ଜଣେ ମହିଳା ସମେତ ୫ ଜଣ ଅପରାଧୀଙ୍କୁ ଗିରଫ କରିଛି । ତାଙ୍କ ନିକଟରୁ ନଗଦ ଦୁଇ ଲକ୍ଷ ଟଙ୍କା ଏବଂ ୩ ଶହ ଗ୍ରାମ ସୁନା ଅଳଙ୍କାର ଜବତ କରାଯାଇଛି।