ରାଉରକେଲା: ରାଉରକେଲା ଇସ୍ପାତ କାରଖାନାର ଏସଏମଏସ ୨ କଣ୍ଟ୍ରୋଲ ରୁମରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ କଣ୍ଟ୍ରୋଲ ରୁମର ମନିଟର,କେଵୁଲ କମ୍ପ୍ୟୁଟର ଓ ପ୍ୟାନେଲ ବୋର୍ଡ ସହ ଅନ୍ୟ ସରଞ୍ଜାମ ଜଳି ନଷ୍ଟ ହୋଇଥିବା ଅଭିଯୋଗ। ତେବେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି।ନିଆଁ ଲାଗିବା ଅଭିଯୋଗ ପରେ ରାଉରକେଲା ଇସ୍ପାତ କାରଖାନାର ମୁଖ୍ୟ ନିର୍ବାହୀ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ମଧ୍ୟ ରାତିରେ ଅଗ୍ନିକାଣ୍ଡ ଘଟିଥିବାବେଳେ ନିଆଁ କାହିଁକି ଏବଂ କେଉଁ କାରଣରୁ ଲାଗିଛି ତାହା ସ୍ପଷ୍ଟ ହୋଇନାହିଁ ।

ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଷ୍ଟିଲ ପ୍ଲାଣ୍ଟର କଣ୍ଟ୍ରୋଲ ରୁମରେ ହଠାତ ନିଆଁ ଲାଗିଯାଇଥିଲା । ଏନେଇ ତୁରନ୍ତ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ଷ୍ଟିଲ୍ ପ୍ଲାଣ୍ଟ କର୍ମଚାରୀ ମଧ୍ୟ ପହଁଚିଥିଲେ । ତେବେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲା । ସେପଟେ ଅଗ୍ନିକାଣ୍ଡ ହେବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଉରକେଲା ଇସ୍ପାତ କାରଖାନା ମୁଖ୍ୟ ନିର୍ବାହୀ ଅଧିକାରୀ।