ମହିଳା କ୍ରିକେଟ ଖେଳାଳି ରାଜଶ୍ରୀ ସ୍ବାଇଁଙ୍କ ସ୍କୁଟି ଡିକିରୁ ଗୁରୁଡ଼ିଝାଟିଆ ଥାନା ପୁଲିସ ଜବତ କରିଥିବା ସୁଇସାଇଡ୍ ନୋଟରେ ରହିଛି ତାଙ୍କ ନିଜର ହସ୍ତାକ୍ଷର। ରାଜଶ୍ରୀ ନିଜେ ସେହି ସୁଇସାଇଡ୍ ନୋଟ୍ ଲେଖିଛନ୍ତି। ସେ ତାଙ୍କ ମୃତ୍ୟୁ ପାଇଁ କୋଚ୍ ଓ ମାଣ୍ଡେଲା ସାରଙ୍କୁ ଦାୟୀ କରିଥିବା ଉଲ୍ଲେଖ କରିଥିବା ଦର୍ଶାଯାଇଥିଲା। ପୁଲିସ ରାଜଶ୍ରୀଙ୍କ ଘରେ ଥିବା କିଛି ହାତ ଲେଖା ସହିତ ସୁଇସାଡ୍ ନୋଟର ମେଳ ପାଇଁ ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବରେଟୋରିର ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଇଥିଲେ। ବ୍ୟୁରୋ ପକ୍ଷରୁ ଚିଠିକୁ ମେଳ କରାଯାଇ ଏଭଳି ରିପୋର୍ଟ ଦିଆଯାଇଛି। ଏହି ରିପୋର୍ଟ ସାମନାକୁ ଆସିଥିବା ବେଳେ ଚିଠିରେ ଦର୍ଶାଯାଇଥିବା ବ୍ୟକ୍ତିଙ୍କ ବିରୋଧରେ ପୁଲିସ କି ପ୍ରକାର ତଦନ୍ତ କରୁଛି, ତାକୁ ଅପେକ୍ଷା ରହିଛି।
ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଅଞ୍ଚଳର ଗୁଣନିଧି ସ୍ବାଇଁଙ୍କ ବଡ଼ ଝିଅ ରାଜଶ୍ରୀ ଓସିଏରେ ଗଲା ପ୍ରାୟ ୧୩ ବର୍ଷ ହେବ ଖେଳି ଆସୁଥିଲେ। ପୁଡ଼ୁଚେରିରେ ଆରମ୍ଭ ହେବାକୁ ଯାଉଥିବା ବରିଷ୍ଠ ମହିଳା ଦିନିକିଆ କ୍ରିକେଟର ପ୍ରଥମ ତିନି ମ୍ୟାଚ ପାଇଁ ରାଜଶ୍ରୀଙ୍କ ନାଁ ବାଦ୍ ପଡ଼ିଥିଲା। ଜାନୁଆରି ୧୧ ତାରିଖରେ ରାଜଶ୍ରୀ କେଉଁଆଡ଼େ ଗାଏବ ହୋଇଯାଇଥିଲେ। ୧୩ ତାରିଖ ସକାଳୁ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ସୁବାସୀ ଜଙ୍ଗଲରୁ ତାଙ୍କ ଶବ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ସେଠାରୁ ତାଙ୍କ ସ୍କୁଟି ମିଳିଥିବା ବେଳେ ଏଥିରେ ଥିବା ସୁଇସାଇଡ୍ ନୋଟକୁ ପୁଲିସ ଜବତ କରିଥିଲା। ତେବେ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କର ଶ୍ବାସରୁଦ୍ଧ ଯୋଗୁଁ ମୃତ୍ୟୁ ହୋଇଥିବା ବେଳେ ଶରୀରରେ କ୍ଷତ ଚିହ୍ନ ଥିବା ରିପୋର୍ଟରେ ଦର୍ଶାଯାଇଥିଲା। ଭେସେରା ଓ ସୁଇସାଇଡ୍ ନୋଟକୁ ରସୁଲଗଡ଼ ଫୋରେନସିକ୍ ସାଇନ୍ସ ଲାବରେଟୋରିକୁ ପଠାଇ ଦିଆଯାଇଥିଲା। ଭେସେରା ରିପୋର୍ଟ ପୁଲିସର ହସ୍ତଗତ ହୋଇ ନଥିବା ବେଳେ ହ୍ୟାଣ୍ଡରାଇଟିଂ ରିପୋର୍ଟ ଆସିଛି। ଚିଠିରେ ଲେଖା ଥିବା ବ୍ୟକ୍ତିଙ୍କୁ ପୁଲିସ ତଦନ୍ତ ପରିସରଭୁକ୍ତ କରିବାକୁ ଯାଉଥିବା ସୂଚନା ମିଳିଛି।