Odia News Portal

ବାତ୍ୟାକୁ ନେଇ ୪ ବନ୍ଦରରେ ବିପଦ ସଙ୍କେତ ଜାରି

ଜଗତସିଂହପୁର: ବାତ୍ୟାର ରୂପ ନେଇଛି ୟସ୍ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ଘଣ୍ଟା ପ୍ରତି ୪ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ୟସ୍ । ୨୬ ତାରିଖ ସନ୍ଧ୍ୟାରେ ବାତ୍ୟା ସ୍ଥଳଭାଗ ଛୁଇଁବାକୁ ଥିବା ସମୟରେ ପାରାଦୀପ-ସାଗରଦ୍ୱୀପ ମଧ୍ୟରେ କରିବ ଲ୍ୟାଣ୍ଡଫଲ୍ ।

ବାତ୍ୟାକୁ ନେଇ ୪ ବନ୍ଦରରେ ବିପଦ ସଙ୍କେତ ଦିଆଯାଇଛି । ପାରାଦୀପ-ଧାମରା ବନ୍ଦରରେ ୪ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।ସେହିଭଳି ପୁରୀ – ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ବାତ୍ୟା ୟସ୍ ର ମୁକାବିଲା ନିମନ୍ତେ ପାରାଦ୍ଵୀପ ବନ୍ଦର ବିଭାଗ ତରଫରୁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି ଶେଷ ହୋଇଛି। ବନ୍ଦରର ବର୍ଥରେ ଲାଗିଥିବା ଜାହାଜ ଓ ଆଙ୍କରେଜ ମଧ୍ୟରେ ଥିବା ଜାହାଜ ଗୁଡିକୁ ଗଭୀର ସମୁଦ୍ର ମଧ୍ୟକୁ ପଠାଇବା ଆରମ୍ଭ ହୋଇଛି ।

ବାତ୍ୟା ୟସ୍ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଥିବାରୁ , ଅଧିକ ଯୋରରେ ପବନ ସହିତ ଉଚ୍ଚ ସାମୁଦ୍ରିକ ଢେ଼ଉ ଉଠିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ବନ୍ଦରର ଆଙ୍କରେଜ ଓ ବର୍ଥ ମଧ୍ୟରେ ଜାହାଜ ଗୁଡିକ ରହିଲେ ବନ୍ଦର ଓ ଜାହାଜର କ୍ଷତି ଘଟିବାର ସମ୍ଭାବନା ରହିଛି । ଯାହାକୁ ଦୃଷ୍ଟିରେ ରଖି ପାରାଦ୍ଵୀପ ବନ୍ଦର ଆଗୁଆ ପଦକ୍ଷେପ ସହିତ ଜାହାଜ ଗୁଡିକୁ ଗଭୀର ସମୁଦ୍ରର ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଉଛି ।ବାତ୍ୟା ୟସ୍ ଏବେ ଦକ୍ଷିଣ-ଦକ୍ଷିଣ ପୂର୍ବ ପାରାଦୀପ ଠାରୁ ୫୦୦ କିମି ଦୂରରେ ରହିଛି । ତେବେ ବାତ୍ୟା ପ୍ରଭାବରେ ପାରାଦୀପ ଓ ବାଲେଶ୍ୱରରେ ବର୍ଷା ଆରମ୍ଭ ହୋଇଯାଇଛି ।