କଳାହାଣ୍ଡି: କର୍ଲାପାଟରେ ହାତୀ ମୃତ୍ୟୁକୁ ନେଇ ବଢ଼ିଲାଣି ଚିନ୍ତା। ଗତ ୧୨ ଦିନ ମଧ୍ୟରେ ଏହି ଅଭୟାରଣ୍ୟରେ ୪ ମାଈ ହାତୀ ଆଖି ବୁଜି ସାରିଥିବା ବେଳେ ଆଉ ଏକ ହାତୀ ଅସୁସ୍ଥ ଅଛି। କାହିଁକି ଏହି ଅଭୟାରଣ୍ୟରେ ଗୋଟିଏ ପରେ ଗୋଟିଏ ହାତୀଙ୍କ ମୃତ୍ୟୁ ହେଉଛି, କାରଣ ଖୋଜିବାକୁ ଆଜି କର୍ଲାପାଟରେ ପହଞ୍ଚିଛନ୍ତି ୨ଜଣିଆ ବିଶେଷଜ୍ଞ ଟିମ୍ ।ତେବେ ଏହି ଟିମ୍ରେ ଭୁବନେଶ୍ୱର ଓୟୁଏଟିର କୋ-ଅର୍ଡିନେଟର ନିରଞ୍ଜନ ସାହୁ ମଧ୍ୟ ସାମିଲ ଅଛନ୍ତି।
ତେବେ କର୍ଲାପାଟ ଅଭୟାରଣ୍ୟରେ ଗୋଟିଏ ପରେ ଗୋଟିଏ ହାତୀଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହୋଇଛି, ତାର ତଦନ୍ତ କରିବ ଏହି ବିଶେଷଜ୍ଞ ଟିମ୍ । ଏହି ଟିମ୍ ସହ ଦକ୍ଷିଣାଞ୍ଚଳ ବନଖଣ୍ଡ ଡିଏଫ୍ଓ ଟି. ଅଶୋକ କୁମାର, କଳାହାଣ୍ଡି ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗର ଡେପୁଟି ଡାଇରେକ୍ଟର ବ୍ରହ୍ମାନନ୍ଦ ମହାନ୍ତି ପ୍ରମୁଖ ଆଜି ଘଟଣାସ୍ଥଳ ଅଭିମୁଖେ ଯାଇଛନ୍ତି। ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ହେମ୍ରେଜ ସେଫ୍ଟିସେମିଆ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟୁଥିବା ବନ ବିଭାଗ ଅନୁମାନ କରୁଛି ।