Odia News Portal

କରୋନା ସ୍ଥିତି ପାଇଁ ନିର୍ବାଚନ ଆୟୋଗ ଦାୟୀ : ମାଦ୍ରାସ ହାଇକୋର୍ଟ

ଚେନ୍ନାଇ :  ଗତ କିଛି ସପ୍ତାହରେ କରୋନାର ବଢୁଥିବା ସଂକ୍ରମଣ ପାଇଁ ନିର୍ବାଚନ ଆୟୋଗଙ୍କୁ ଦାୟୀ କରିଛନ୍ତି ମାଦ୍ରାସ ହାଇକୋର୍ଟ  । କରୋନା ସଂକ୍ରମଣର ଦ୍ୱିତୀୟ ଲହର ସମୟରେ ରାଜନୈତିକ ଦଳମାନଙ୍କୁ ନିର୍ବାଚନ ସମାବେଶ କରିବାକୁ ଅନୁମତି ଦେଇଥିବାରୁ ନିର୍ବାଚନ ଆୟୋଗକୁ ଟିପ୍ପଣି  କରିଛନ୍ତି । କେବଳ ଏତିକି ନୁହେଁ ଅଦାଲତ ତୀବ୍ର ଭର୍ତ୍ସନା କରିବା ସହ ନିର୍ବାଚନ ଆୟୋଗ ବିରୋଧରେ ହତ୍ୟା ମୋକଦ୍ଦମା ଚାଲିବା ଉଚିତ୍ ବୋଲି କହିଛନ୍ତି। ଉଚ୍ଚ ନ୍ୟାୟାଳୟ କହିଛନ୍ତି ନିର୍ବାଚନ ଆୟୋଗ ନିଜର ଦାୟିତ୍ଵ ନିଭାଇରେ ବିଫଳ ହୋଇଛି।

ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ  ଓ ବିଚାରପତି ସେନ୍ଥିଲ କୁମାର ରାମମୂର୍ତ୍ତିଙ୍କ ପୀଠ କହିଛନ୍ତି, ସଂସ୍ଥାଗତ ଭାବେ ନିର୍ବାଚନ ଆୟୋଗ ଆଜିର ପରିସ୍ଥିତି ପାଇଁ ସଂପୂର୍ଣ୍ଣ ଦାୟୀ। ଆୟୋଗ ନିଜ ଅଧିକାରର କୌଣସି ଉପଯୋଗ କରିନାହାଁନ୍ତି। ଅଦାଲତ ପକ୍ଷରୁ ଅନେକ ଆଦେଶ ପରେ ମଧ୍ୟ ରାଜନୈତିକ ଦଳଗୁଡିକ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। କୋଭିଡ୍ ପ୍ରୋଟୋକଲ ପାଳନ ପାଇଁ ଅନେକ ଅପିଲ୍ ଏବଂ ଆଦେଶକୁ ଅଣଦେଖା କରାଯାଇଛି।

ଅଦାଲତ କହିଛନ୍ତି, ଯଦି ଆପଣ କୋଭିଡ୍ ପ୍ରୋଟୋକଲ୍‌ର କୌଣସି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ନାହାନ୍ତି ତେବେ ମେ ୨ରେ ହେବାକୁ ଥିବା ଭୋଟ୍ ଗଣତିକୁ ରୋକି ଦେଇ ପାରିବେ। ଆୟୋଗ ଆପଣଙ୍କ ମୁର୍ଖତା କାରଣରୁ ଏମିତି ପରିସ୍ଥିତି ଉତ୍ପନ ହୋଇଥିବା ହାଇକୋର୍ଟ କହିଛନ୍ତି। ଆମେ ଚାହିଁବୁ ନାହିଁ ଯେ, ଆପଣଙ୍କ ମୁର୍ଖତା କାରଣରୁ ରାଜ୍ୟରେ କାହାରି ମୃତ୍ୟୁ ଘଟୁ।

କୋର୍ଟ ଏହା ମଧ୍ୟ କହିଛନ୍ତି, କୌଣସି ବି ପରିସ୍ଥିତିରେ କରୋନା ପ୍ରୋଟୋକଲ୍‌ର ଉଲ୍ଲଂଘନ ମଧ୍ୟରେ ମତଗଣନା କରାଯାଇ ପାରିବ ନାହିଁ। ଜନତାଙ୍କ ସ୍ଵାସ୍ଥ୍ୟ ଏବଂ  ଜୀବନ ଆମ ପାଇଁ ସର୍ବୋପରି। ଏଥିରେ କୌଣସି ପ୍ରକାରର ସାଲିସ୍ କରାଯାଇ ପାରିବ ନାହିଁ ବୋଲି ଅଦାଲତ କହିଛନ୍ତି।

ହାଇକୋର୍ଟର ପ୍ରଧାନ ବିଚାରପତି ଇଲେକସନ କମିଶନରଙ୍କୁ କହିଛନ୍ତି, ‘ଲୋକଙ୍କ ସ୍ୱାସ୍ଥ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଚିନ୍ତାଜନକ ଯେ ସାମ୍ବିଧାନିକ କର୍ତ୍ତୃପକ୍ଷଙ୍କୁ ଏଭଳି କଥା ମନେରଖିବାକୁ ପଡ଼ିବ। ଜଣେ ବ୍ୟକ୍ତି ବଞ୍ଚିବା ପରେ ହିଁ ସେ ତାଙ୍କର ଗଣତାନ୍ତ୍ରିକ ଅଧିକାରର ଲାଭ ଉଠାଇବାକୁ ସମର୍ଥ ହେବେ।