ଭୁବନେଶ୍ୱର: ସ୍କୁଲ ଖୋଲିବା ପରେ ସ୍ଥିତି ପରଖିଲେ ଗଣଶିକ୍ଷା ମନ୍ତ୍ରୀ । ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟ ସରକାର ଦଶମ ଓ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀ କେବଳ ସ୍କୁଲକୁ ଯିବାକୁ ଅନୁମତି ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ରାଜଧାନୀରେ ଥିବା କିଛି ସ୍କୁଲ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି।

ଏନେଇ ମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ପିଲାମାନେ ଆଗ୍ରହର ସହ ସ୍କୁଲ ଖୋଲିବାକୁ ଅପେକ୍ଷା କରିଥିଲେ। ଏହାଛଡ଼ା ଆମେ କାହାକୁ ସ୍କୁଲ ବା କଲେଜକୁ ଆସିବା ପାଇଁ ବାଧ୍ୟ କରିନାହୁଁ। ତେଣୁ ଯେଉଁମାନେ ସ୍କୁଲ ଆସିବେ, ସେମାନଙ୍କୁ ଅଭିଭାବକଙ୍କ ସହମତି ଆଣିବାକୁ କୁହାଯାଇଥିଲା। ଆଜି ମଧ୍ୟ ଯେଉଁ ପିଲାମାନେ ସ୍କୁଲ ଆସିଛନ୍ତି, ସେମାନେ ସାମାଜିକ ଦୂରତା ଅବଲମ୍ବନ କରି ଧାଡ଼ିରେ ଛିଡ଼ା ହୋଇ କାଉଣ୍ଟରରେ ଅବିଭାବକଙ୍କ ସହମତି ଦେଇଛନ୍ତି। ଯେହେତୁ ଗତକାଲି ପିଲାମାନଙ୍କ ପକ୍ଷେ ଅଭିଭାବକଙ୍କର ସହମତି ପତ୍ର ଦେବା ସମ୍ଭବ ନଥିଲା, ତେଣୁ ଆଜି ପିଲାମାନେ ଏହାକୁ ଦାଖଲ କରିଛନ୍ତି ଏବଂ ଆସନ୍ତାକାଲିଠାରୁ ଶ୍ରେଣୀଗୃହ ଆରମ୍ଭ ହେବ।

ମନ୍ତ୍ରୀ ଆହୁରି କହିଛନ୍ତି, ଅନଲାଇନରେ ଯେଉଁ ପାଠପଢ଼ା ହୋଇଥିଲା, ସେହି କୋର୍ସକୁ ପୁଣିଥରେ ଅଫଲାଇନରେ ଆରମ୍ଭ କରାଯିବ। ସମସ୍ତ କୋର୍ସକୁ ଆମେ ୧୦୦ ଦିନ ଭିତରେ ସାରିବାକୁ ଲକ୍ଷ୍ୟ ରଖିଛୁ। ଏହାଛଡ଼ା ଏଣିକି ପ୍ରତି ରବିବାର ମଧ୍ୟ କ୍ଲାସ୍ ହେବ। ଆଜି ଆମର ସବୁ ଜିଲ୍ଲାକୁ ନୋଡାଲ୍ ଅଫିସର୍ ଯାଇଛନ୍ତି। ଯେହେତୁ ଆଜି ସ୍କୁଲ୍ ଖୋଲୁଛି, ତେଣୁ ଆଜି ମଧ୍ୟ ସବୁ ସ୍କୁଲ ଓ କଲେଜକୁ ଅଫିସରମାନେ ସ୍କୁଲ ପରିଦର୍ଶନ କରିବାକୁ ଯାଇଛନ୍ତି।ନୋଡାଲ୍ ଅଫିସର୍ ସ୍କୁଲ ଓ କଲେଜରେ କ’ଣ ସବୁ ଅଭାବ ରହିଛି, ସେସବୁର ତଦାରଖ କରିବେ।ରାଜ୍ୟ ସରକାରଙ୍କର ମୂଳ ନିର୍ଦ୍ଦେଶ ଥିଲା ଯେ ପିଲାମାନଙ୍କର ସ୍ୱାସ୍ଥ୍ୟ ହେଉଛି ଗୁରୁତ୍ୱପୂର୍ଣ୍ଣ। ତେଣୁ ସେସବୁ ଏସଓପିକୁ ସମସ୍ତେ କଡ଼ାକଡ଼ି ଭାବେ ପାଳନ କରିଥିବା କହିଛନ୍ତି ମନ୍ତ୍ରୀ ସମୀର ଦାଶ।