Odia News Portal

ନକଲି ଔଷଧର ଉତ୍ତର ପ୍ରଦେଶ ଲିଙ୍କ୍ ଉପରେ କାର୍ଯ୍ୟାନୁଷ୍ଠାନ; ବଡ଼ଧରଣର ରାକେଟର ପର୍ଦ୍ଦାଫାଶ୍‌

 ନକଲି ଔଷଧ କାରବାରର ପର୍ଦ୍ଦାଫାସ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଉତ୍ତର ପ୍ରଦେଶ ଲିଙ୍କ୍ ଉପରେ ଠୋସ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଓଡ଼ିଶା ସରକାର ଉତ୍ତର ପ୍ରଦେଶ ସରକାରଙ୍କୁ ଦେଇଥିବା ସୂଚନା ଓ ତଥ୍ୟ ଭିତ୍ତିରେ ଉତ୍ତର ପ୍ରଦେଶ ଷ୍ଟେଟ୍ ଟାକ୍ସ ଫୋର୍ସ ଗତକାଲି କେତେକ ସନ୍ଦେହଜନକ ସ୍ଥାନରେ ଚଢ଼ଉ କରିଥିଲା । ଓଡ଼ିଶାର ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରୁ ମିଳିଥିବା ସମସ୍ତ ନକଲି ଔଷଧ ଉତ୍ତର ପ୍ରଦେଶରୁ ଅଣାଯାଇଥିବାର ଏହି ଚଢ଼ଉରୁ ଜଣାପଡ଼ିଛି ।

ସିକନ୍ଦରାବାଦ ଥାନା ଅନ୍ତର୍ଗତ ବୁଲନ୍ଦସହରର ଅଶୋକ କୁମାରଙ୍କର ଏକ ଘରେ ଚଢ଼ଉ ବେଳେ ସେଠାରେ ସମସ୍ତ ଔଷଧ ମହଜୁଦ ଥିବା ଜଣାପଡ଼ିଥିଲା । ତାଙ୍କୁ ଗିରଫ୍ କରାଯାଇ ତାଙ୍କର ସ୍ୱୀକାରୋକ୍ତି ଭିତ୍ତିରେ ଲହତାରା ଥାନା ଅନ୍ତର୍ଗତ ଅନ୍ୟ ଏକ ଗୋଦାମ ଉପରେ ମଧ୍ୟ ଚଢ଼ଉ କାରାଯାଇଥିଲା । ସେଠାରୁ ବହୁ ପରିମାଣର ନକଲି ଔଷଧ ଓ ନଗଦ ଟଙ୍କା ଜବତ ହୋଇଥିଲା । ଜବତ ହୋଇଥିବା ଔଷଧର ମୂଲ୍ୟ ପ୍ରାୟ ୭.୩୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଚଢ଼ଉ ସ୍ଥାନରୁ ନଗଦ ଆକାରରେ ୪ ଲକ୍ଷ ଟଙ୍କା ମିଳିଛି । ଏହି ଚଢ଼ଉ ଏକ ବଡ଼ଧରଣର ନକଲି ଔଷଧ କାରବାର ରାକେଟର ପର୍ଦ୍ଦାଫାଶ୍ କରିଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀ ମଧ୍ୟ ଭାଗରେ ଆନ୍ତଃରାଜ୍ୟ ନକଲି ଔଷଧ ଅନୁସନ୍ଧାନ ପାଇଁ ଓଡ଼ିଶା ସରକାର ସ୍ୱତନ୍ତ୍ର ଟିମ୍ ଗଠନ କରି ଉତ୍ତର ପ୍ରଦେଶ ପଠାଇଥିଲେ । ଏହି ତଦନ୍ତରେ ସହାୟତା ନିମନ୍ତେ ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଳିନୀ ପଣ୍ଡିତ୍ ଉତ୍ତର ପ୍ରଦେଶ ସରକାରଙ୍କ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଥିଲେ । ଓଡ଼ିଶା ଟିମ୍‌ଙ୍କଠାରୁ ପ୍ରାପ୍ତ ସୂଚନା ଭିତ୍ତିରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଚଢ଼ଉ, ଗିରଫ୍ ଓ ପଚରା ଉଚୁରା ଜାରି ରହିଛି । ରାଜ୍ୟ ସରକାର ପଠାଇଥିବା ସ୍ୱତନ୍ତ୍ର ଟିମ୍ ତାଙ୍କର ଅନୁସନ୍ଧାନ କାର୍ଯ୍ୟ ଚଳାଇଛନ୍ତି ।