Odia News Portal

ପୁଣି ଜମ୍ମୁ ବାୟୂସେନା ସ୍ଥଳରେ ଉଡ଼ିଲା ଡ୍ରୋନ୍‌

ଶ୍ରୀନଗର: ଏଠାରେ ଥିବା ଭାରତୀୟ ବାୟୁସେନା ସ୍ଥଳ ଉପରେ ପୁନର୍ବାର ଏକ ଡ୍ରୋନକୁ ଠାବ କରାଯାଇଛି। ବୁଧବାର ରାତିରେ ଏହି ଡ୍ରୋନ ଉଡୁଥିବାବେଳେ ତାକୁ ନିରାପତ୍ତା ବାହିନୀ ଠାବ କରିଥିଲେ। ସୂଚନାଯୋଗ୍ୟ ଯେ ଏହି ବାୟୁସେନା ସ୍ଥଳ ଉପରେ ଜୁନ୍ ୨୭ ତାରିଖରେ ଡ୍ରୋନରୁ ଆକ୍ରମଣ କରାଯିବାର ମାତ୍ର ତିନି ସପ୍ତାହ ପରେ ପୁନଶ୍ଚ ଏଠାରେ ଡ୍ରୋନ ଉଡିବା ଘଟଣା ଦେଶର ନିରାପତ୍ତା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବୁଧବାର ରାତିରେ ଡ୍ରୋନ ଉଡିବା ସମୟରେ ସେଠାରେ ସ୍ଥାପନ କରାଯାଇଥିବା ଡ୍ରୋନ ଠାବକାରୀ ରାଡାର ପ୍ରଯୁକ୍ତି ଡ୍ରୋନକୁ ତୁରନ୍ତ ଠାବ କରିବାରେ ସମର୍ଥ ହୋଇଥିଲା। ଏହାପରେ ସଜାଗ ଥିବା ଭାରତୀୟ ସୈନ୍ୟମାନେ ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଡ୍ରୋନଟି ପ୍ରାୟ ୩ କିଲୋମିଟର ଉଚ୍ଚତାରେ ଉଡୁଥିଲା ଏବଂ ଏହା ସେକେଣ୍ଡକୁ ୯ ମିଟର ବେଗରେ ଗତି କରୁଥିଲା। ଉକ୍ତ ସ୍ଥାନରେ ଖଞ୍ଜାଯାଇଥିବା କିଲର ଡ୍ରୋନ ବ୍ୟବସ୍ଥା ସକ୍ରିୟ ହୋଇଯିବାପରେ ସୈନ୍ୟମାନେ ଡ୍ରୋନକୁ ନିଷ୍କ୍ରିୟ କରିଦେଇଥିଲେ। ପରେ ଡ୍ରୋନଟି ତଳକୁ ଖସିପଡିଥିଲା।