Odia News Portal

ମୁନ୍ଦାଏ ପାଣି ପାଇଁ ଏଠି ଜୀବନ ଡହଳ ବିକଳ

*ସ୍ୱାଧୀନତାର ଦୀର୍ଘ ୭୫ ବର୍ଷ ପରେ ମଧ୍ୟ ପାନୀୟ ଜଳ ପାଇଁ ସଂଘର୍ଷ ଆଜି ପର୍ଯ୍ୟନ୍ତ ଜାରି |

ମାଲକାନଗିରି: ମନୁଷ୍ୟ ବଞ୍ଚିବା ପାଇଁ ଜଳର ନିତ୍ୟାନ୍ତ ଆବଶ୍ୟକତା ରହିଥାଏ | ସ୍ୱାଧୀନତାର ଦୀର୍ଘ ୭୫ ବର୍ଷ ପରେ ମଧ୍ୟ ପାନୀୟ ଜଳ ପାଇଁ ସଂଘର୍ଷ ଆଜି ପର୍ଯ୍ୟନ୍ତ ଜାରି ରହିଛି |ମାଲକାନଗିରି ଏକ ପଛୁଆ ଅଂଚଳ ଭାବେ ରାଜ୍ୟରେ ପରିଗଣିତ ହେଉଥିବା ବେଳେ ନାନାଦି ସମସ୍ୟା ମାନ ଦେଖା ଦେଉଅଛି | ସେଥିମଧ୍ୟରୁ ପାନୀୟ ଜଳର ଅଭାବ ସବୁଠୁ ଆଗରେ । ସରକାରୀ ସ୍ତରରେ ପାନୀୟ ଜଳ ନିମନ୍ତେ ବସୁଧା ଯୋଜନା, ସୌରଚାଳିତ ଟ୍ୟାଙ୍କ ଭଳି ଯୋଜନା ଚାଲୁ ରହିଥିଲେ ମଧ୍ୟ ତାହାର ସୁଫଳ ପାଇପାରୁ ନାହାନ୍ତି ବହୁତ ଗ୍ରାମବାସୀ ।

ମାଲକାନଗିରି ଜିଲ୍ଳା ପଡ଼ିଆ ବ୍ଲକ ଅନ୍ତର୍ଗତ ନିଲିଗୁଡା ପଂଚାୟର ପୁରୁଣା ନିଲିଗୁଡା ଗ୍ରାମରେ ଏହି ଭଳି ଏକ ସମସ୍ୟା ପରିଲକ୍ଷିତ ହେଉଛି | ଏହି ଗ୍ରାମରେ ୭୦ ରୁ ଉର୍ଦ୍ଧ ପରିବାର ତଥା ୩୦୦ ଲୋକ ବସବାସ କରନ୍ତି | ପାନୀୟ ଜଳ ସକାଶେ ୬ ଟି ନଳକୂପ ଥିବା ବେଳେ ସେଥିରୁ ୪ଟି ଅଚଳ ଏବଂ ୨ଟି ରୁ ଲୌହଯୁକ୍ତ ପାନୀୟ ଅନୁପଯୋଗୀ ପାଣି ବାହାରୁଥାଏ ଯାହା ଦ୍ୱାରା ଗ୍ରାମବାସୀ ମାନେ ଲୌହ ଯୁକ୍ତ ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହୁଅନ୍ତି | ତେଣୁ ବାଧ୍ୟ୍ୟ ହୋଇ ଗ୍ରାମ ଠାରୁ ୩କିଲୋମିଟର ଦୂରରେ ଥିବା ନାଳରେ ଗାଧୁଆ, ଲୁଗା ସଫା,ବାସନ ମଜା କରିବା ସହ ନିକଟସ୍ଥ ଝରରୁ ପିଇବା ଓ ରୋଷେଇ ପାଇଁ ପାଣି ସଂଗ୍ରହ କରନ୍ତି |

ଏହି ବାବଦରେ ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରୁ ସେ ଏହି ସମସ୍ୟା ବିଷୟରେ ଅବଗତ ଏବଂ ପୂର୍ବରୁ ଜଳର ନମୁନା ବ୍ଲକ ଅଧିକାରୀ ଙ୍କ ମାଧ୍ୟମରେ ପରୀକ୍ଷଣ ପାଇଁ ପଠାଯିବା ସହ ଏହାର ପ୍ରତିକାର କରିବା ପାଇଁ ପ୍ରତିଶୃତି ଦେଇଥିଲେ | ତତ୍ ସଙ୍ଗେ ସଙ୍ଗେ ପୂର୍ବତନ ବିଧାୟକ ଶ୍ରୀ ମାନସ ମାଡ଼କାମୀ ଙ୍କୁ ଗ୍ରାମବାସୀ ସରପଞ୍ଚଙ୍କ ମାଧ୍ୟମରେ ଲିଖିତ ଭାବରେ ଜଣାଇ ଥିଲେ ମଧ୍ୟ ଆଜି ସୁଦ୍ଧା ଏହାର କୌଣସି ପ୍ରତିକାର ହୋଇପାରି ନାହିଁ | ଯାହା ଦ୍ୱାରା ଗ୍ରାମବାସୀ ମାନେ ବାଧ୍ୟ୍ୟ ହୋଇ ଗଣମାଧ୍ୟମ ଦ୍ୱାରା ପାନୀୟ ଜଳର ଚାହିଦା ମେଣ୍ଟାଇବା ପାଇଁ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି |