ଭୁବନେଶ୍ୱର () ରାଜ୍ୟ ସରକାର ଆଜି ଆଇଏଏସ୍ ଅଫିସର ସ୍ତରରେ ଅଦଳ ବଦଳ କରିଛନ୍ତି । ୨୦୦୨ ବ୍ୟାଚ୍ ଆଇଏଏସ୍ ଡକ୍ଟର କ୍ରିଷନ କୁମାରଙ୍କୁ ଅତିରିକ୍ତ ଭାବେ ପୂର୍ତ୍ତ ବିଭାଗ ସଚିବ ଦାୟିତ୍ୱ ମିଳିଛି । ପୂର୍ତ୍ତ ସଚିବ ନଳିନୀ ପ୍ରଧାନ ଅବ୍ୟାହତି ନେବାପରେ ଇଞ୍ଜିନିୟର ରସାନନ୍ଦ ସାହୁଙ୍କୁ ପୂର୍ତ୍ତ ସଚିବ ଭାବେ ନିଯୁକ୍ତି ମିଳିଥିଲା । ଆଜି ଶ୍ରୀ ସାହୁ ସଚିବ ପଦରୁ ଅବସର ନେବାପରେ ଓଡିଶା ସବର୍ଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନର ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି । ତେବେ ଡକ୍ଟର କୁମାର ପୂର୍ବଭଳି ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ପଦବୀ ସହିତ ଅତିରିକ୍ତ ଭାବେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ତୁଲାଇବେ ।
୧୯୯୫ ବ୍ୟାଚ୍ ଆଇଏଏସ୍ ଅଫିସର ବିଷନୁପଦ ସେଠୀଙ୍କୁ ଉଚ୍ଚଶିକ୍ଷା ବିଭାଗ ସଚିବ ପଦରୁ ବଦଳି କରାଯାଇ ବାଣିଜ୍ୟ କର କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ଏଥି ସହିତ ପୂର୍ବଭଳି ଶ୍ରୀ ସେଠୀ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଓ ଓସ୍ଡମାର ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ ।
ବାଣିଜ୍ୟକର କମିଶନର ଥିବା ୧୯୯୬ ବ୍ୟାଚ୍ ଆଇଏଏସ୍ ଅଫିସର ଶାଶ୍ୱତ ମିଶ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି ।
ମତ୍ସ୍ୟ ନିର୍ଦ୍ଦେଶକ ଥିବା ୨୦୦୪ ବ୍ୟାଚ୍ ଆଇଏଏସ୍ ପ୍ରଶାନ୍ତ କୁମାର ସେନାପତିଙ୍କୁ କଟକ ସ୍ଥିତ ବୋର୍ଡ ଅଫ୍ ରେଭେନ୍ୟୁର ସଚିବ ଭାବେ ନିଯୁକ୍ତି ମିଳିଥିବାବେଳେ ପଶୁସମ୍ପଦ ନିର୍ଦ୍ଦେଶକ ଥିବା ୨୦୦୫ ବ୍ୟାଚ୍ ଆଇଏଏସ୍ ରତ୍ନାକର ରାଉତଙ୍କୁ ଅତିରିକ୍ତ ଭାବେ ମତ୍ସ୍ୟ ନିର୍ଦ୍ଦେଶାଳୟ ଦାୟିତ୍ୱ ଦିଆଯାଇଛି ।
୨୦୦୭ ବ୍ୟାଚ୍ ଆଇଏଏସ୍ ବଲୱନ୍ତ ସିଂହଙ୍କୁ ଅତିରିକ୍ତ ଭାବେ ବିଡିଏ ଉପାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ଏଥି ସହିତ ଶ୍ରୀ ସିଂହ ପୂର୍ବଭଳି ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ସହିତ କୃଷି ବିପ୍ପଣନ ନିର୍ଦ୍ଦେଶକ, ଓଏସ୍ଏଏମ୍ ବୋର୍ଡର ସଦସ୍ୟ ସଚିବ ଭାବେ ଦାୟିତ୍ୱ ନିର୍ବାହ କରିବେ ।
ବିଜୁ ଯୁବ ବାହିନୀର ସିଇଓ ସହିତ ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ୨୦୧୦ ବ୍ୟାଚ୍ ଆଇଏଏସ୍ ପ୍ରେମଚନ୍ଦ ଚୌଧୁରୀଙ୍କୁ ଅତିରିକ୍ତ ଭାବେ ମାପ ଓଜନ ନିର୍ଦ୍ଦେଶାଳୟ ଦାୟିତ୍ୱ ଦିଆଯାଇଛି । ଶ୍ରୀ ଚୌଧୁରୀ ପୂର୍ବଭଳି ଏସ୍ଆଇଆରଡିର ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିବେ ।