ନୂଆଦିଲ୍ଲୀ: ଟୁଲକିଟ୍ ମାମଲାରେ ଗିରଫ ଦିଶା ରବିଙ୍କୁ ପଟିଆଲା ହାଉସ୍ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । ୧ ଲକ୍ଷ ଟଙ୍କା ମୁଚାଲିକାରେ ଦିଶାଙ୍କୁ ଜାମିନ ପ୍ରଦାନ କରାଯାଇଛି । ଆଜି କୋର୍ଟରେ ଶୁଣାଣି ବେଳେ ପୋଲିସ ଦିଶା ରବିଙ୍କୁ ଆଉ ୪ ଦିନ ରିମାଣ୍ଡରେ ନେବାକୁ ଅପିଲ କରିଥିବା ବେଳେ ଏହାକୁ କୋର୍ଟ ଖାରଜ କରିଦେଇଥିଲେ ।ସୋମବାର ଦିନ ଦିଶା ରବିଙ୍କୁ ପଟିଆଲା ହାଉସକୋର୍ଟରେ ହାଜର କରିଥିଲା ପୋଲିସ ।

ଦିଲ୍ଲୀ ପୋଲିସର ଏକ ସ୍ୱତନ୍ତ୍ର ସେଲ କୋର୍ଟରେ କହିଥିଲେ କି ଦିଶା ରବିଙ୍କ ସହ ଏହି ମାମଲାରେ ଶାନ୍ତୁନ ଓ ନିକିତା ଜାକବ ବି ଅଭିଯୁକ୍ତ ଅଟନ୍ତି । ଦିଶା ରବି ବି ପଚରା ଉଚରା ବେଳେ ଶାନ୍ତୁନ ଓ ନିକିତାଙ୍କ ନାମ କହିଥିଲା । ଏହାକୁ ନେଇ ପୋଲିସ କହିଥିଲା କି ଏହି ୩ ଜଣଙ୍କୁ ଏକା ସାଙ୍ଗରେ ଜେରା କରିବାର ଆବଶ୍ୟକତା ରହିଛି । ହେଲେ ଶାନ୍ତୁନଙ୍କୁ ପଟିଆଲା କୋର୍ଟ ୧୦ ଦିନିଆ ଟ୍ରାନଜିଟ୍ ବେଲ ଦେଇଥିବା ବେଳେ ନିକିତା ଜାକବଙ୍କୁ ହାଇକୋର୍ଟ ୩ ସପ୍ତାହ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ।