Odia News Portal

ସମ୍ବିଧାନ ମୁଖବନ୍ଧରେ ଅହିଂସା ପାଇଁ ସଂକଳ୍ପ

ଆଜି ବିଧାନସଭାରେ ସଂକଳ୍ପ ଆଣିବେ ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର: ମହାତ୍ମା ଗାନ୍ଧିଙ୍କ ଓଡିଶା ଆଗମନକୁ ଆଜି ଶହେ ବର୍ଷ ପୂରଣ ହେବାକୁ ଯାଉଛି । ଏହି ଉପଲକ୍ଷେ ଗୃହରେ ସ୍ୱତନ୍ତ୍ର ଆଲୋଚନା ହେବ । ଏଥିନେଇ ସର୍ବ ଦଳୀୟ ବୈଠକରେ ନିଷ୍ପତ୍ତିି ହୋଇଛି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ନିଷ୍ପତି ଅନୁଯାୟୀ ମଙ୍ଗଳବାର ଦିନ ବିଧାନସଭାରେ ପୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍ନ ୧ ଟା ୩୦ ପର୍ଯ୍ୟନ୍ତ ଗାନ୍ଧିଙ୍କ ବିଷୟରେ ଆଲୋଚନା କରାଯିବ ଏବଂ ସଂକଳ୍ପ ଅଣାଯିବ । ଏଥିପାଇଁ ଗୃହରେ ଶୂନ୍ୟକାଳ , ପ୍ରଶ୍ନୋତର ଓ ମୁଲତବୀ ପ୍ରସ୍ତାବ ଆଲୋଚନା ହେବନାହିଁ । ସମସ୍ତ ସଦସ୍ୟମାନେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସମୟରେ ଉପସ୍ଥିତ ରହିବାକୁ ବାଚସ୍ପତି ଅନୁରୋଧ କରିଥିଲେ ।

ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ସହିତ ସଂପର୍କ ଅତି ନିବିଡ ରହିଥିଲା । ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ଗାନ୍ଧିଜୀ ଓଡ଼ିଶାକୁ ଅନେକ ଥର ଅନେକ ଅଞ୍ଚଳକୁ ପଦଯାତ୍ରା କରି ରାଜ୍ୟବାସୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଯାଇଛନ୍ତି । ଆଜିର ସମାଜରେ ଅହିଂସା ଆମ ସମସ୍ତଙ୍କ ଆଦର୍ଶ ହେବା ଆବଶ୍ୟକ । ଅହିଂସା ବିନା ଦାରିଦ୍ର୍ୟ ଦୂର ହେବନି କିମ୍ବା ସାମାଜିକ ସମୃଦ୍ଧି ହାସଲ ହୋଇପାରିବ ନାହିଁ । କେବଳ ଅହିଂସା ଦ୍ୱାରା ହିଁ ଶାନ୍ତି ପ୍ରତିଷ୍ଠା ସମ୍ଭବ ଏବଂ ଶାନ୍ତି ହିଁ ପ୍ରଗତିର ମୂଳ ଆଧାର ।

ମହାତ୍ମାଙ୍କ ଓଡ଼ିଶାବାସୀଙ୍କ ସହ ରହିଥିବା ଭାବଗତ ସଂପର୍କକୁ ଚିରସ୍ମରଣୀୟ କରିବା ପାଇଁ ତାଙ୍କ ଜୀବନୀ, ନୀତି, ଆଦର୍ଶ ଓ ସର୍ବୋପରି ଦେଶର ସ୍ୱାଧୀନତା ସଂଗ୍ରାମରେ ଜାତିର ପିତାଙ୍କ ଅବଦାନ ସମଗ୍ର ମାନବଜାତି ବିଶେଷ କରି ଓଡ଼ିଶାବାସୀଙ୍କ ପାଇଁ ଅବିସ୍ମରଣୀୟ । ଏହି ଅବସ୍ମରଣୀୟ ଅବଦାନକୁ ସ୍ମରଣ ପୂର୍ବକ ରାଜ୍ୟ ସରକାରଙ୍କ ତରଫରୁ ଏକ ବର୍ଷ ବ୍ୟାପୀ ମହାତ୍ମାଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ମହାସମାରୋହରେ ପାଳନ କରିବାକୁ ନୀତିଗତ ନିଷ୍ପତ୍ତି ନିଆଯାଇଛି ।

ଏହି ଶତବାର୍ଷିକୀ ପାଳନ ଅବସରରେ ସମଗ୍ର ମାନବଜାତି ପାଇଁ ମହାର୍ଘ୍ୟ ଅହିଂସା ଶବ୍ଦକୁ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରାଗଲେ ମହାତ୍ମାଙ୍କ ପ୍ରତି ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ । ଏ ନେଇ ଆସନ୍ତାକାଲି ବିଧାନସଭାରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏକ ସଂକଳ୍ପ ଆଗତ କରିବେ ।