ଭୁବନେଶ୍ୱର: ଦିନ ଯେତିକି ପାଖଉଛି ଛାତି ସେତିକି ଧଡ଼ ଧଡ଼ ହେଉଛି । ପିପିଲି ଉପନିର୍ବାଚନ ଜିତିବା ଲାଗି ପ୍ରାର୍ଥୀମାନେ ଲାଗି ପଡ଼ିଛନ୍ତି । ଷ୍ଟାର ପ୍ରଚାରକମାନଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇ ଭୋଟରଙ୍କ ମନମୋହିବା ଲାଗି ପ୍ରୟାସ ଜାରି ରଖିଛନ୍ତି ପ୍ରାର୍ଥୀ । ଏହି ଅବସରେ ବିଜେପି ପକ୍ଷରୁ ଆଜି ପ୍ରଚାରକୁ ବାହାରିଛନ୍ତି ରାଜ୍ୟ ବିଜେପିର ବରିଷ୍ଟ ନେତା ତଥା କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଠାଉଥିବା ସହାୟତା ଅର୍ଥକୁ ଗରୀବଲୋକଙ୍କୁ ନଦେବାରେ ଯିଏ ଦୋଷୀ ପିପିଲିବାସୀ ଏଥର ତାଙ୍କୁ ହରାଇବେ। ପିପିଲିରେ ଏଥର ପରିବର୍ତ୍ତର୍ନ ହେବାର ସବୁ ପ୍ରକାର ସଂକେତ ରହିଛି। ଏହି ଅଞ୍ଚଳର ବିକାଶ ପାଇଁ ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ବିଧାନସଭା ଠାରୁ ଆରମ୍ଭ କରି ଦିଲ୍ଲୀ ପର୍ୟ୍ୟନ୍ତ କଥା ଉଠାଇବେ। ଏହି କଥା ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇଛି। ନରେନ୍ଦ୍ର ମୋଦୀଙ୍କ ଉପରେ ଭରସା କରି ପିପିଲି ବିଧାନସଭା ଆସନରୁ ଆଶ୍ରିତଙ୍କୁ ଭୋଟରମାନେ ନିଶ୍ଚିତ ଭାବେ ଭୋଟ ଦେଇ ଜିତାଇବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।