Odia News Portal

ବାତ୍ୟାର ରୂପ ନେଲା ‘ୟସ୍’,ନେବ ଭୀଷଣ ବାତ୍ୟାରେ ରୂପ

*୮ଟି ଜିଲ୍ଲାରେ ଜାରି ହେଲା ରେଡ୍ ଆଲାର୍ଟ ।

ଭୁବନେଶ୍ୱର: ବାତ୍ୟାର ରୂପ ନେଲା ୟସ୍ । ତେବେ ୨୪ ଘଣ୍ଟା ମଧ୍ୟରେ ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଘଣ୍ଟା ପ୍ରତି ୪ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ୟସ୍ । ୨୬ ତାରିଖ ସନ୍ଧ୍ୟାରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି କୁହାଯାଇଛି । ପାରାଦୀପ-ସାଗରଦ୍ୱୀପ ମଧ୍ୟରେ କରିବ ଲ୍ୟାଣ୍ଡଫଲ୍ । ବାତ୍ୟା ୟସ୍ ଏବେ ଦକ୍ଷିଣ-ଦକ୍ଷିଣ ପୂର୍ବ ପାରାଦୀପ ଠାରୁ ୫୪୦ କିମି ଦୂରରେ ରହିଛି । ସେହିପରି ଉତ୍ତର-ଉତ୍ତର ପୂର୍ବ ବାଲେଶ୍ୱର ଠାରୁ ୬୫୦, ଦକ୍ଷିଣ- ଦକ୍ଷିଣ ପୂର୍ବ ଦୀଘା ଠାରୁ ୬୩୦ କିଲୋମିଟର ଦୂରରେ ରହିଛି ।

ଆଇଏମଡିର ଆକଳନ ଅନୁଯାୟୀ, ବାତ୍ୟା ୟସ୍ ବାଲେଶ୍ୱର – ଭୋଗରାଇ ଅଂଚଳ ଦେଇ ଗତି କରିପାରେ ବୋଲି ଅନୁମାନ କରାଯାଇଛି । ପାଣିପାଗ ବିଭାଗ ମହାନିର୍ଦ୍ଦେଶକଙ୍କ କହିବା ଅନୁସାରେ ପାରାଦୀପରୁ ବାଙ୍ଗଲାଦେଶର ସାଗରଦୀପ ମଧ୍ୟରେ ସ୍ଥଳ ଭାଗ ଅତିକ୍ରମ କରିପାରେ । କିନ୍ତୁ ଆଇଏମଡି ପକ୍ଷରୁ ଯେଉଁ ଗତିପଥ ଆକଳନ କରାଯାଇଛି, ସେହି ଆକଳନ କହୁଛି ଏହା ବାଲେଶ୍ୱର ପାଖରେ ହିଁ ଲ୍ୟାଣ୍ଡଫଲ କରିବ । ଏବଂ ସ୍ଥଳଭାଗ ଅତିକ୍ରମ ସମୟରେ ପବନର ବେଗ ଘଣ୍ଟାକୁ ୧୬୫ କିଲୋମିଟର ହୋଇପାରେ । ବେଳେ ବେଳେ ପବନ ଝଟକା ଦେଇ ଘଣ୍ଟାକୁ ୧୮୫ କିଲୋମିଟର ପର୍ଯ୍ୟନ୍ତ ମଧ୍ୟ ଯାଇପାରେ ।

ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାର ୮ଟି ଜିଲ୍ଲା ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ । ଏ ନେଇ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାକୁ ରେଡ୍ଆଲର୍ଟ ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।