ସାତକୋଶିଆ ହେଉଛି ଜୈବ ବିବିଧତାର ଅନନ୍ୟ ଉଦାହରଣ। ମହାନଦୀର ବିରାଟ ଗଣ୍ଡ ଦୁଇ ପାର୍ଶ୍ବରେ ଏଠି ପ୍ରକୃତି ନିଜର ବିବିଧତାକୁ ପରିପୁଷ୍ଟ କରିଛି। ସାତକୋଶିଆର ମହାନଦୀ ଗଣ୍ଡରେ ଗଲା ଚାରିବର୍ଷ ତଳୁ ଆରମ୍ଭ ହୋଇଥିବା ଘଡ଼ିଆଳ ପ୍ରକଳ୍ପ ଜରିଆରେ ଏ ବିବିଧତାକୁ ପରିପକ୍ବ କରିବାକୁ ଉଦ୍ୟମ କରାଯାଇଛି। ଏଠି ଚାରୋଟି ରାଜ୍ୟରୁ ଚାରି ପ୍ରକାରର ଘଡ଼ିଆଳଙ୍କୁ ଅଣାଯାଇ ବଂଶ ବିସ୍ତାର ପାଇଁ ଛଡ଼ାଯାଇଛି। ଜୟପୁର, ଲକ୍ଷ୍ନୌ, ଇନ୍ଦୋର ଏବଂ ନନ୍ଦନକାନନର ନୂଆ ନୂଆ ଜିନ୍ର ବଂଶ ବିସ୍ତାର ପାଇଁ ଏଠି କେବଳ ସୁଯୋଗ ସୃଷ୍ଟି କରାଯାଇ ନାହିଁ, ବରଂ ମହାନଦୀ ଗଣ୍ଡରେ ଚାରି ପ୍ରକାରର ଜିନ୍ର ସମ୍ମେଳନ ହେଲେ ଘଡ଼ିଆଳ ପରିବାରର ଭବିଷ୍ୟତ ସୁରକ୍ଷିତ ରହି ପାରିବ ବୋଲି ପାଇଲଟ ପ୍ରକଳ୍ପରେ ଆଶା ରଖାଯାଇଛି।
ସାତକୋଶିଆ ଗଣ୍ଡରେ ଘଡ଼ିଆଳ ବଂଶ ଉଦ୍ଧାର ଉଦ୍ୟମ ଆଜି ନୂଆ ନୁହେଁ। ପୂର୍ବରୁ ଶହ ଶହ ଘଡ଼ିଆଳ ଛୁଆଙ୍କୁ ଛଡ଼ାଯାଇ ବନ ବିଭାଗ ଫେଲ୍ ମାରିଥିଲା। ୨୦୧୯ମସିହାରେ ପୁଣି ଥରେ ସରକାର ଘଡ଼ିଆଳ ବଂଶବିସ୍ତାର ପାଇଁ ପୁଣି ନୂଆ ପାଇଲଟ୍ ପ୍ରୋଜେକ୍ଟ ନୂଆ ଢଙ୍ଗରେ ଆରମ୍ଭ କରିଛନ୍ତି। ଯୋଜନା ହେଉଛି, ୫ବର୍ଷର। ତା ମଧ୍ୟରେ ପ୍ରାୟ ୩୦/୩୫ଟି ଘଡ଼ିଆଳଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ହୋଇଛି। ସେମାନଙ୍କ ଗତିବିଧିକୁ ଯାଞ୍ଚ କରିବାକୁ ବେକରେ ରେଡିଓ କୋଲାର ସଂଯୋଗ କରାଯାଇଛି, ସାଟେଲାଇଟ୍ ଜରିଆରେ ଘଡ଼ିଆଳଙ୍କର ଗତିବିଧିକୁ ଅନୁସନ୍ଧାନ କରାଯାଉଛି। ପ୍ରତିବର୍ଷ ଶୀତ ଦିନେ ଘଡ଼ିଆଳମାନଙ୍କୁ ମହାନଦୀରେ ଛଡ଼ାଯାଏ। କିନ୍ତୁ, ଏ ବର୍ଷକୁ ଛାଡ଼ିଦେଲେ, ଗଲା ତିନିବର୍ଷ ମଧ୍ୟରେ ପ୍ରାୟ ୧୯ଟି ଘଡ଼ିଆଳଙ୍କୁ ମହାନଦୀ ଗଣ୍ଡରେ ଛଡ଼ା ସରିଲାଣି।
ତା ମଧ୍ୟରେ ଇନ୍ଦୋର, ଲକ୍ଷ୍ନୌ ଏବଂ ଜୟପୁରର ବିଭିନ୍ନ ନଦୀରେ ରହୁଥିବା ଘଡ଼ିଆଳଙ୍କୁ ବି ସାମିଲ୍ କରାଯାଇଛି। ବିଭାଗୀୟ ତଥ୍ୟ ମୁତାବକ, ଗୋଟିଏ ଜିନ୍ରୁ ବଂଶ ବିସ୍ତାର ହେଲେ ଭବିଷ୍ୟତ ପାଇଁ ଭୟ ଅଛି। ତେଣୁ, ଗୋଟିଏ ସହାବସ୍ଥାନରେ ବିଭିନ୍ନ ପ୍ରକାରର ଜିନ୍ ଏକକାଳୀନ ବିକଶିତ ହେଲେ, ବିଭିନ୍ନ ଦୃଷ୍ଟିରୁ ଘଡ଼ିଆଳ ବଂଶ ସୁରକ୍ଷିତ ରହି ପାରିବ। ସେଥିପାଇଁ ନନ୍ଦନକାନନ ବ୍ୟତୀତ ଅନ୍ୟ ତିନୋଟି ଚିଡ଼ିଆଖାନାରୁ ଘଡ଼ିଆଳଙ୍କୁ ଅଣାଯାଇଥିଲା। ଜୟପୁରରୁ ଦୁଇଟି ଅଣ୍ଡିରା ଘଡ଼ିଆଳଙ୍କୁ ଅଣାଯାଇଥିବା ବେଳେ ଲକ୍ଷ୍ନୌରୁ ଚାରୋଟି ମାଇ ଏବଂ ଇନ୍ଦୋରରୁ ତିନୋଟି ମାଇ ଘଡ଼ିଆଳଙ୍କୁ ନନ୍ଦନକାନନକୁ ଅଣାଯାଇଥିଲା।
ତନ୍ମଧ୍ୟରୁ ୧୪ଫୁଟ୍ ଲମ୍ବା ଏବଂ ପ୍ରାୟ ୧୫ବର୍ଷ ବୟସର ଗୋଟିଏ ଜୟପୁର ଘଡ଼ିଆଳ, ଲକ୍ଷ୍ନୌରୁ ଆସିଥିବା ୯ବର୍ଷ ବୟସ୍କାର ଏକ ମାଇ ଘଡ଼ିଆଳ ଏବଂ ଇନ୍ଦୋରରୁ ଆସିଥିବା ଗୋଟିଏ ମାଇ ଘଡ଼ିଆଳଙ୍କ ସହିତ ନନ୍ଦନକାନନର ଘଡ଼ିଆଳଙ୍କୁ ମିଶାଇ ଆଜି ପର୍ଯ୍ୟନ୍ତ ମୋଟ୍ ୧୯ଟି ଘଡ଼ିଆଳଙ୍କୁ ମହାନଦୀ ଗଣ୍ଡରେ ଛଡ଼ା ଯାଇସାରିଛି ବୋଲି ଘଡ଼ିଆଳ ପାଇଲଟ ପ୍ରକଳ୍ପର ମୁଖ୍ୟ ପରାମର୍ଶଦାତା ପ୍ରଫେସର ସୁଦର୍ଶନ ମହାରଣା ପ୍ରକାଶ କରିଛନ୍ତି। ବିଭିନ୍ନ ଜିନ୍ରୁ ଘଡ଼ିଆଳଙ୍କୁ ଏଠି ଛାଡ଼ିବାର ଉଦ୍ଦେଶ୍ୟ ସେମାନଙ୍କର ନୂତନ ବଂଶକୁ ସମୃଦ୍ଧ କରିବା ବୋଲି ପ୍ରଫେସର ମହାରଣା ପ୍ରକାଶ କରିଛନ୍ତି। ପାଞ୍ଚ ବର୍ଷରେ ମୋଟ୍ ୩୦ରୁ ଅଧିକ ଘଡ଼ିଆଳ ଛାଡ଼ିବାକୁ ଯୋଜନା ହୋଇଛି। ବିଭିନ୍ନ କାରଣ ପାଇଁ ଚଳିତବର୍ଷ ଘଡ଼ିଆଳଙ୍କୁ ଛଡ଼ାଯାଇପାରିଲା ନାହିଁ। ଆସନ୍ତା ଦୁଇବର୍ଷ ମଧ୍ୟରେ ଅବଶିଷ୍ଟ ଘଡ଼ିଆଳଙ୍କୁ ଛଡ଼ାଯିବ ବୋଲି ପ୍ରଫେସର ମହାରଣା ପ୍ରକାଶ କରିଛନ୍ତି।