ଦେଶରେ ଖୁବ୍ ଶୀଘ୍ର ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କୁ କୋଭିଡ୍ ଟିକା ଦିଆଯିବ । ଏହି ବୟସ ବର୍ଗର ପିଲାମାନଙ୍କ ସକାଶେ ବାୟୋଲୋଜିକାଲ-ଇ ଦ୍ବାରା ବିକଶିତ କୋର୍ବେଭାକ୍ସ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରି ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କ ବିଶେଷଜ୍ଞ କମିଟି ସୁପାରିଶ କରିଛି।
ତେବେ ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କୁ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ସୁପାରିସ ପାଇଁ ବିଶେଷଜ୍ଞ କମିଟି ଏହି ଟିକାର ନିର୍ମାତା ଭାରତ ବାୟୋଟେକ୍ ଠାରୁ ଅଧିକ ତଥ୍ୟ ମାଗିଛି ।
ଭାରତୀୟ ଡ୍ରଗ୍ସ ନିୟାମକ (ଡିସିଜିଆଇ) ଗତ ବର୍ଷ ଡିସେମ୍ବର ୨୮ ରେ ବୟସ୍କମାନଙ୍କ ଜରୁରୀକାଳୀନ ପରିସ୍ଥିତିରେ ସୀମିତ ବ୍ୟବହାର ପାଇଁ କୋଭୋଭାକ୍ସକୁ ମଞ୍ଜୁରି ପ୍ରଦାନ କରିଥିଲା ଏବଂ ନିର୍ଦ୍ଦିଷ୍ଟ ସର୍ତ୍ତ ଅନୁଯାୟୀ ଏହି ଟିକାକୁ ୧୨ ରୁ ୧୭ ବର୍ଷ ବୟସ ବର୍ଗ ପାଇଁ ଚଳିତ ବର୍ଷ ମାର୍ଚ୍ଚ ୯ ରେ ଅନୁମୋଦନ କରାଯାଇଥିଲା।
ସମ୍ପ୍ରତି ୧୨ ରୁ ୧୪ ବର୍ଷ ବୟସର ପିଲାମାନଙ୍କ ଟିକାକରଣ ପାଇଁ ବାୟୋଲୋଜିକାଲ-ଇ’ର କୋର୍ବେଭାକ୍ସର ବ୍ୟବହାର ହେଉଛି | ୨୦୨୧ ଡିସେମ୍ବର ୨୪ରେ ୧୨ ରୁ ୧୮ ବର୍ଷ ବୟସ ପାଇଁ ଭାରତୀୟ ଡ୍ରଗ୍ସ ନିୟାମକ ଦ୍ବାରା କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ତାଲିକା (ଇୟୁଏଲ୍) ପ୍ରଦାନ କରାଯାଇଥିଲା |ମାର୍ଚ୍ଚ ୧୬ରେ ଭାରତରେ ୧୨-୧୪ ବର୍ଷ ବୟସର ପିଲାମାନଙ୍କର ଟିକାକରଣ ଆରମ୍ଭ ହୋଇଥିଲା |