ଭୁବନେଶ୍ୱର: ଆସିଲା ବଡ଼ ଖୁସି ଖବର | ଓଡ଼ିଶାରେ ଆସି ପହଞ୍ଚିଲା କରୋନା ଟିକା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା କୋଭିସିଲ୍ଡ ଟିକା । ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ଟିକା ଆସିଥିବା ବେଳେ ଏହା ଏବେ ଓଡ଼ିଶାରେ ପହଞ୍ଚିଛି । ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶାକୁ ୪୦ ହଜାର ୮୦୦ ବୋଟଲ ପଠାଇଛି ସେରମ । ଏହି ସମସ୍ତ ଟିକାକୁ ପ୍ରଥମେ ରାଜ୍ୟ ଔଷଧ ନିଗମରେ ରଖାଯିବ । ଏହିଠାରୁ ସମସ୍ତ ଜିଲ୍ଲାକୁ ପଠାଯିବ ଟିକା । ପ୍ରାଥମିକ ପର୍ଯ୍ୟାୟରେ ଯେତିକି ସଂଖ୍ୟାରେ ଟିକା ଆସିଛି ସେହି ଅନୁଯାୟୀ ବିଭିନ୍ନ ଜିଲ୍ଲା ଗୁଡିକ ପଠାଯିବ । ପ୍ରାଥମିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ତଥା କୋଭିଡ଼ ଯୋଦ୍ଧାଙ୍କୁ ଦିଆଯିବ ଟିକା ।

ସୂଚନାନୁଯାୟୀ, ସେରମ୍ ପାଖରୁ ସରକାର ୧୦ ନିୟୁତ କୋଭିସିଲ୍ଡ ଟିକା କିଣିବେ। ପ୍ରାରମ୍ଭରେ କୋଭିସିଲ୍ଡ ଟିକା ପ୍ରତି ଡୋଜ ପିଛା ୨୦୦ ଟଙ୍କା ହେବ। ଜାନୁଆରୀ ୧୬ରୁ ସାରା ଦେଶରେ ଟିକାକରଣ ଆରମ୍ଭ ହେବ। କୋଭିସିଲ୍ଡ ଟିକା ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରା ଜେନେଙ୍କା ଦ୍ୱାରା ବିକଶିତ ହୋଇଥିବାବେଳେ ସେରମ୍ ଇନଷ୍ଟିଚ୍ୟୁଟ୍ ଏହାକୁ ଭାରତରେ ପ୍ରସ୍ତୁତ କରିଛି।ଅକ୍ସଫୋର୍ଡ ପ୍ରସ୍ତୁତ କରୋନା ଟିକା କୋଭିସିଲ୍ଡର ଗୋଟିଏ ଡୋଜ୍କୁ ସରକାର ୨୦୦ ଟଙ୍କାରେ କିଣିବେ। ଜଣେ ବ୍ୟକ୍ତିଙ୍କୁ ଟିକାର ଦୁଇଟି ଡୋଜ୍ ଦିଆଯିବ। ଏହାର ଅର୍ଥ ସରକାର ଜଣଙ୍କ ପିଛା ୪୦୦ ଟଙ୍କା ଖର୍ଚ୍ଚ କରିବେ। ପ୍ରଥମ ଦଫାରେ ପ୍ରାୟ ୩ କୋଟି ଲୋକଙ୍କୁ ମାଗଣାରେ ଟିକା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି।

ଆସନ୍ତା ୧୬ ତାରିଖରୁ ଦେଶରେ ଟିକାକରଣ ଆରମ୍ଭ କରିବେ। ପ୍ରଥମ ଦଫାରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ। ଏହାପରେ ୫୦ ବର୍ଷରୁ ଅଧିକ ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ପ୍ରାୟ ୨୭ କୋଟି ଲୋକଙ୍କୁ ଟିକା ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ଟିକାକରଣ ବେଳେ ଯେମିତି କିଛି ଅସୁବିଧା ନ ହେବ, ସେଥିପାଇଁ ଦେଶର ସବୁ ରାଜ୍ୟରେ କରୋନା ଟିକାର ଡ୍ରାଏରନ୍ ମଧ୍ୟ କରାଯାଇଛି।