ଗଞ୍ଜାମ: ଜିଲ୍ଲାରେ ପ୍ରଥମ ପର୍ୟ୍ୟାୟ ଟିକାକରଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ୧୧ଟି କେନ୍ଦ୍ରରେ ୧୧ଶହ ଜଣଙ୍କୁୁ ଟିକା ପ୍ରଦାନ କରାଯାଇଛି । ଏଥିରେ ଅଛନ୍ତି ସ୍ୱାସ୍ଥ୍ୟ କର୍ମୀ, ନର୍ସ, ଏଏନ୍ଏମ୍ କର୍ମୀ, ଅଙ୍ଗନୱାଡ଼ି କର୍ମୀ, ସଫେଇ କର୍ମଚାରୀ ଏବଂ ମେଡ଼ିକାଲ୍ କର୍ମଚାରୀ । ବ୍ରହ୍ମପୁର ସିଟି ହସ୍ପିଟାଲ ପରିସରରେ ଜିଲ୍ଲାରେ ସ୍ତରୀୟ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଜିଲ୍ଲାର ପ୍ରଥମ ବ୍ୟକ୍ତି ଭାବେ ମଧୁମେହ ବିଶେଷଜ୍ଞ ଡା. ସୁନିଲ କୁମାର କୋଟା ଟିକା ନେଇଥିଲେ । ଏହି କାର୍ୟ୍ୟକ୍ରମରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲା ଜନସ୍ୱାସ୍ଥ୍ୟ ତଥା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଉମା ଶଙ୍କର ମିଶ୍ର, ବ୍ରହ୍ମପୁର ମହାନଗର ନିଗମର କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲ୍ଲାର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡା. ଆର୍.ଜଗଦିଶ ପଟ୍ଟନାୟକ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଡିପିଏମ୍ ଶ୍ୟାମ ସୁନ୍ଦର ତ୍ରିପାଠୀଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହି ଅବସରରେ ଭିଡ଼ିଓ କନଫରେନ୍ସ ଜରିଆରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ । ଡା. କୋଟା ଟିକା ଗ୍ରହଣର ଅନୁଭୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ । ସେହିଭଳି ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପଜି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ମଧ୍ୟ ଟିକାକରଣ ଅନୁଷ୍ଠିତ ହୋଇଥିଲା । ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି. ରାଓ ଉପସ୍ଥିତ ରହି ଟିକାକରଣର ତଦାରଖ କରିଥିଲେ । ଶିଶୁ ରୋଗ ବିଶେଷଜ୍ଞ ଡା. ସୁନିଲ କୁମାର ଅଗ୍ରୱାଲ୍ ପ୍ରଥମ ବ୍ୟକ୍ତି ଭାବେ ଟିକା ନେଇଥିଲେ । ଏଥି ସହ ବ୍ରହ୍ମପୁର ସହରର ଖ୍ରୀଷ୍ଟିଆନ୍ ହସ୍ପିଟାଲ ଏବଂ ଆସିକ ରୋଡ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଟିକାକରଣ ଅନୁଷ୍ଠିତ ହୋଇଥିଲା । ଏତଦ୍ ବ୍ୟତିତ ଗଞ୍ଜାମ ଜିଲ୍ଲାର ଅନ୍ୟ ୭ଟି କେନ୍ଦ୍ର ଯଥା ଭଞ୍ଜନଗର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର, ଆସିକା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଛତ୍ରପୁର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର, ସୁମଣ୍ଡଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଟିକାକରଣ ଅନୁଷ୍ଠିତ ହୋଇଛି । ତେବେ କୌଣସି ସ୍ଥାନରୁ ପାର୍ଶ୍ୱ ପ୍ରତିକ୍ରିୟା ସୂଚନା ମିଳିନାହିଁ ।