ନୂଆଦିଲ୍ଲୀ : ଦିଲ୍ଲୀ ଏମସ୍ ହସ୍ପିଟାଲରେ ପ୍ରଥମ ଟିକା ଦିଆଯାଇଛି । ଏମସ୍ ହସ୍ପିଟାଲର ସଫେଇ କର୍ମଚାରୀ ମନୀଷ କୁମାରଙ୍କୁ ପ୍ରଥମ ଟିକା ଦିଆଯାଇଛି । ସାରା ଦେଶରେ ଟିକାକରଣକୁ ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ଏହି ବ୍ୟକ୍ତିଙ୍କୁ ସର୍ବ ପ୍ରଥମେ ଟିକା ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ସ ବର୍ଦ୍ଧନଙ୍କ ଉପସ୍ଥିତିରେ ଏମ୍ସର ଟିକାକରଣ କେନ୍ଦ୍ରରେ ମନୀଷଙ୍କୁ ଟିକା ଦିଆଯାଇଛି । ଟିକା ନେବାକୁ ଅନେକ ଲୋକ ଭୟ କରୁଥିବା ବେଳେ ଦିଲ୍ଲୀର ଏହି ଯୁବକ ପ୍ରଥମେ ଟିକା ନେବାକୁ ନିଷ୍ପତ୍ତି ନେଇଥିଲେ ।

ତେବେ ମନୀଷଙ୍କ କହିବାନୁଯାୟୀ, ସେ ଟିକା ନେଲେ ଆଗକୁ ଆହୁରୀ ଲୋକଙ୍କ ସେବା କରିବାକୁ ସୁଯୋଗ ମିଳିବ । ମନୀଷଙ୍କ ମାଆ ମଧ୍ୟ ଦିଲ୍ଲୀ ଏମ୍ସରେ ଚାକିରି କରୁଛନ୍ତି । ତେବେ ଟିକା ନେବା ପରେ ମନୀଷ କହିଛନ୍ତି, ତାଙ୍କୁ କୌଣସି ପ୍ରକାର ଅସୁସ୍ଥତା ଅନୁଭବ ହେଉନାହିଁ । ସେ ପୁରା ସୁସ୍ଥ ଅଛନ୍ତି । ଫେକ୍ ନ୍ୟୁଜ ଶୁଣି ଭୟ ନକରିବାକୁ ନିବେଦନ କରିଛନ୍ତି ଦେଶରେ ପ୍ରଥମ ଟିକା ନେଇଥିବା ଯୁବକ ମନୀଷ କୁମାର ।

ସେହିଭଳି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡା.ରଣଦୀପ ଗୁଲେରିଆ ମଧ୍ୟ ଆଜି କୋଭିଡ-୧୯ ଭାକସିନର ପ୍ରଥମ ଡୋଜ୍ ନେଇଛନ୍ତି । ଲୋକଙ୍କ ବିଶ୍ୱାସ ବଢ଼ାଇବା ପାଇଁ ପ୍ରଥମ ଦିନରେ ସେ ଟିକା ନେଇଛନ୍ତି। ଏଥିସହ ସେ ଦେଶବାସୀଙ୍କୁ କରୋନା ଭ୍ୟାକସିନ୍ର ପ୍ରଥମ ଡୋଜ ନେବା ପରେ ଦ୍ୱିତୀୟ ଡୋଜ ନେବା ପାଇଁ ଭୁଲିବେ ନାହିଁ ବୋଲି ପରାମର୍ଶ ଦେଇଛନ୍ତି। ତେବେ ରାଜ୍ୟର ପ୍ରଥମ ଟିକାକରଣ ଆରମ୍ଭ ହୋଇଛି କ୍ୟାପିଟାଲ ହସ୍ପିଟାଲରୁ । ଏଠାରେ ପ୍ରଥମ ଟିକା ନେଇଛନ୍ତି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ବିରଞ୍ଚି ନାୟକଙ୍କୁ ପ୍ରଥମେ ଟିକା ଦିଆଯାଇଥିଲା । ଟିକା ନେବା ପରେ ସଂପୂର୍ଣ୍ଣ ଭଲ ଅଛନ୍ତି । ବିରଞ୍ଚିଙ୍କ ପରେ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ଟିକା ନେଇଛନ୍ତି ।


ସେହିଭଳି ଟିକା ନେଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟର କୁଳପତି ଡାକ୍ତର ଅଶୋକ ମହାପାତ୍ର । ଟିକା ନେବା ପରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରାୟ ୧୧ଟା ୧୮ ମିନିଟରେ ସମ୍ ହସ୍ପିଟାଲ ଟିକାକରଣ କେନ୍ଦ୍ରରେ ତାଙ୍କୁ ପ୍ରଥମେ ଟିକା ଦିଆଯାଇଥିଲା ।ଅନ୍ୟପଟେ କିମ୍ସ ହସ୍ପିଟାଲର ନିର୍ଦ୍ଦେଶକ ମଧ୍ୟ ଟିକା ନେଇଛନ୍ତି । ଟିକାକରଣର ସମସ୍ତ ପ୍ରକ୍ରିୟା ପୂରଣ କରିବା ପରେ, ପ୍ରିନ୍ସିପାଲ ତଥା ଡାଇରେକ୍ଟର ଜେନେରାଲ ପି.କେ ପଟ୍ଟନାୟକ ଟିକା ନେଇଛନ୍ତି ।