ଢ଼େଙ୍କାନାଳ: ଜିଲ୍ଲା କାର୍ୟ୍ୟାଳୟର ଓସୱାନ ହଲଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀ କୋଭିଡ଼ ପରିଚାଳନାର ସମୀକ୍ଷା କରିଛନ୍ତି । ଆଗାମୀ ଦିନରେ ଶିଶୁମାନେ କୋଭିଡରେ ଅଧିକ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ଅଭିଭାବକମାନେ ନିଜର ପିଲାମାନଙ୍କ ସ୍ବାସ୍ଥ୍ୟପ୍ରତି ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେବା ସହ ସ୍ୱାସ୍ଥ୍ୟ କର୍ମୀ , ଅଙ୍ଗନବାଡ଼ି କର୍ମୀ , ଆଶାକର୍ମୀମାନେ ମଧ୍ୟ ଶିଶୁମାନଙ୍କୁ ଚିହ୍ନଟ କରି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ସଜାଗ ରହିବାକୁ କହିଛନ୍ତି । ଉତ୍ତମ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ସ୍ବାସ୍ଥ୍ୟ ଅଧିକାରୀମାନେ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ତୃତୀୟ ଲହରର ଉଚିତ ମୁକାବିଲା ନିମନ୍ତେ ବିଡିଓ , ତହସିଲଦାର , ସିଡ଼ିପିଓମାନେ ଡାକବାଜି ଯନ୍ତ୍ର ମାଧ୍ୟମରେ ଜନସଚେତନତା କରିବାକୁ ପରାମର୍ଶ ଦେଇଛନ୍ତି । ସମ୍ପ୍ରତି ହାଇ ସ୍କୁଲକୁ ଆସୁଥିବା ଛତ୍ରଛାତ୍ରୀମାନଙ୍କର ଆଣ୍ଟିଜେନ ଏବଂ ଆର.ଟି.ପି.ସି.ଆର ଟେଷ୍ଟର ବ୍ୟବସ୍ଥା କରିବାକୁ କହିଛନ୍ତି । ନିୟମିତ ଭାବେ ଆଣ୍ଟିଜେନ ଏବଂ ଆର.ଟି.ପି.ସି.ଆର ଟେଷ୍ଟ ହେଲେ ସଂକ୍ରମିତମାନେ ଚିହ୍ନଟ ହେବା ସହିତ ସଂକ୍ରମଣକୁ ରୋକା ଯାଇ ହ୍ରାସ କରାଯାଇପାରିବ ବୋଲି ସେ ପ୍ରକାଶ କରିଛନ୍ତି । ସଚେତନ ହୋଇ ଆନ୍ତରିକତା ସହିତ ସାମୁହିକ ଉଦ୍ୟମ କଲେ ଜିଲ୍ଲାରୁ କରୋନା ସଂକ୍ରମଣ ଦୂର ହୋଇ କୋଭିଡ ମୁକ୍ତ ହୋଇପାରିବ ବୋଲି ଜିଲ୍ଲାପାଳ ମତ ବ୍ୟକ୍ତ କରିଛନ୍ତି । ସେଥିପାଇଁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ଆଗାମୀ ଦିନରେ ଜିଲ୍ଲାରେ ଟୀକାକରଣ କାର୍ୟ୍ୟକ୍ରମ ସମ୍ପର୍କରେ ବୈଠକରେ ବିଷଦ ଆଲୋଚନା ହୋଇଥିଲା । ଆଗାମୀ ଡିସେମ୍ବର ମାସ ସୁଦ୍ଧା ସମସ୍ତ ଜିଲ୍ଲାବାସୀଙ୍କୁ ଟୀକାକରଣ କରାଯିବାକୁ ଲକ୍ଷ୍ୟ ରହିଛି । ଜିଲ୍ଲାରେ ଟୀକାକରଣକୁ ବ୍ୟବସ୍ଥିତ କରିବା ସହିତ ଏହି ସମୟରେ ଜନସାଧାରଣ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ କହିଛନ୍ତି । ଏହି ଭିସି ସମୟରେ ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ , ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ଜ୍ୟୋତିଷ ଚନ୍ଦ୍ର ମହାପାତ୍ର , ଆପତକାଳୀନ ଅଧିକାରୀ ସ୍ମୃତି ରଞ୍ଜନ ମହାପାତ୍ର , ଏନ.ଏଚ.ଏମ. , ଡି.ପି.ଏମ , ସୋନାଲୀ ପ୍ରିୟଦର୍ଶନୀ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜ୍ୟୋସ୍ନା ରାୟ , ପୌର ନିର୍ବାହୀ ଅଧୁକାରୀ ଅତନୁ କୁମାର ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।