Odia News Portal

ନେଗେଟିଭ ରିପୋର୍ଟ ପାଇଁ ଯାତ୍ରୀଙ୍କ ଧାଁ ଦଉଡ

*ନକଲି ଆଗରେ ଅସଲି ଫିକା |

ଭୁବନେଶ୍ୱର : ନେଗେଟିଭ ଆରଟି-ପିସିଆର ରିପୋର୍ଟ ଏବେ ହାଉଯାଉ । ବିମାନଯାତ୍ରା ଓ ରେଳରେ ଆସିବାପାଇଁ ବିଭିନ୍ନ ଘରୋଇ ସଂସ୍ଥା ଏପରିକି ସରକାରୀ ଛାପ ଥାଇ ଏଭଳି ନକଲି ରିପୋର୍ଟ ପ୍ରସ୍ତୁତ ହେଉଛି ଯେ ଅସଲି ବି ତା ଆଗରେ ଫିକା ପଡିଯିବ । ଏଭଳି ଜାରି ସାର୍ଟିଫିକେଟର ବହୁଳ ବ୍ୟବହାର ଏବେ ଏୟାରପୋର୍ଟରେ ଚାଲିଛି ।
ବିମାନ କମ୍ପାନୀଗୁଡିକ ଏବେ ଆରଟି-ପିସିଆର ନେଗେଟିଭ ରିପୋର୍ଟ ନଦେଖିଲେ ବିମାନରେ ଚଢାଇବାକୁ ସିଧାସିଧା ମନାକରି ଦେଉଛନ୍ତି । ଏପରିକି ଯେଉଁମାନେ କରୋନା ଟିକାର ଦୁଇଟି ଡୋଜ୍‌ ନେଇଥିବା ପ୍ରମାଣପତ୍ର ଦେଖାଉଛନ୍ତି ତାହାକୁ ବି ଗ୍ରହଣ କରାଯାଉନାହିଁ । ତେଣୁ ବିମାନକମ୍ପାନୀଗୁଡିକ ଟିକଟ କରିଥିବା ଯାତ୍ରୀଙ୍କୁ ଆଗୁଆ ଫୋନ୍‌ କରି ସାଙ୍ଗରେ ନେଗେଟିଭ ଆରଟି-ପିସିଆର ରିପୋର୍ଟ ଧରିକି ଆସିବାକୁ କହୁଛନ୍ତି । ସେହିଭଳି ରେଳବାଇ କର୍ତ୍ତୃପକ୍ଷ ବି ନେଗେଟିଭ ରିପୋର୍ଟ ମାଗୁଛନ୍ତି ।

ତେବେ ରେଳଷ୍ଟେସନରେ କୋଭିଡ ଟିକାର ଦୁଇଟି ଡୋଜ ନେଇଥିବା ପ୍ରମାଣପତ୍ର କାମ ଦେଉଛି ।
ବିମାନ କମ୍ପାନୀଗୁଡିକ ଏଭଳି ଫତୁଆ ଜାରି କରିବାପରେ ଏବେ ଚାଲିଛି ନକଲି ରିପୋର୍ଟର କାରବାର । କରୋନା ସଂକ୍ରମିତ ଥାଆନ୍ତୁ କି ନଥାଆନ୍ତୁ ନେଗେଟିଭ ରିପୋର୍ଟ ପାଇଁ ଏବେ ଧାଁ ଦଉଡ ଚାଲିଛି । ଏଭଳି ରିପୋର୍ଟ ପ୍ରସ୍ତୁତିର ସବୁଠାରୁ ଭଲ ତରିକା ହେଉଛି କୌଣସି ଜଣେ ବ୍ୟକ୍ତିର ନେଗେଟିଭ ରିପୋର୍ଟକୁ ସ୍କାନ କରି ନାମ ଓ ତାରିଖ ବଦଳାଇ ଦେବା । ଏତିକି ହୋଇଗଲେ କାମ ସରିଲା । ବିମାନବନ୍ଦରରେ ବାରକୋଡ୍‌ ଯାଞ୍ଚ ବ୍ୟବସ୍ଥା ନଥିବାରୁ ଅନେକ କୋଭିଡ ସଂକ୍ରମିତ ଏଭଳି ଉପାୟରେ ଏବେ ଓଡିଶାରେ ପ୍ରବେଶ କରୁଛନ୍ତି ଓ ଓଡିଶା ବାହାରକୁ ବି ଯାଉଛନ୍ତି ।
ସୁରକ୍ଷା ଓ ସାନିଟାଇଜେସନ ଦୃଷ୍ଟିରୁ ବିମାନବନ୍ଦରକୁ ସବୁଠାରୁ ନିରାପଦ ଅଞ୍ଚଳ ଭାବେ ଗଣାଯାଉଥିଲା । ଏଠାରେ କରୋନାର ସେତେଟା ଭୟ ନଥିଲା ।

ହେଲେ ଏବେ ମହାରାଷ୍ଟ୍ର, ଦିଲ୍ଲୀ ଆଦି ତୀବ୍ର ସଂକ୍ରମଣ ରାଜ୍ୟରୁ ଅନେକ ଲୋକ ଓଡିଶା ଫେରିବାପାଇଁ ଏଭଳି ଜାଲି ନେଗେଟିଭ ରିପୋର୍ଟ ଦେଖାଉଥିବାରୁ ସାଧାରଣରେ ଚିନ୍ତା ବଢିବାରେ ଲାଗିଛି । ତେଣୁ ବିମାନରେ ଆସୁଥିବା ପ୍ରତ୍ୟେକ ଯାତ୍ରୀଙ୍କର ବିମାନବନ୍ଦରରେ ଆଣ୍ଟିଜେନ୍‌ ପରୀକ୍ଷାପାଇଁ ମତପ୍ରକାଶ ପାଉଛି । ନହେଲେ ବାପ ପୁଅ ରାତ୍ରୀ ଅନିଦ୍ରା ଭଳି ଅବସ୍ଥା ସୃଷ୍ଟି ହୋଇଛି ।ରାଜ୍ୟ ସରକାର ଯେଭଳି ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ କଡା ନଜର ରଖିଛନ୍ତି ଓ ପ୍ରତ୍ୟେକଙ୍କୁ ଯାଞ୍ଚ କରୁଛନ୍ତି ଅନୁରୂପ ଭାବେ ମହାରାଷ୍ଟ୍ର ଓ ଦିଲ୍ଲୀରୁ ଆସୁଥିବା ପ୍ରତ୍ୟେକ ବିମାନଯାତ୍ରୀଙ୍କର ତକ୍ରାଳ ଯାଞ୍ଚ କରାଗଲେ ଅନେକ ସଂକ୍ରମିତ ଧରାପଡିବେ । କାରଣ ଜାଲ୍‌ ପ୍ରମାଣପତ୍ରରେ ଆସୁଥିବା ବ୍ୟକ୍ତି କେବଳ ବିମାନଭିତରେ ସଂକ୍ରମଣ କରିବେ ନାହିଁ, ବିମାନବନ୍ଦର, ଟ୍ୟାକ୍ସି ଚାଳକଙ୍କ ସମେତ ଘରେ ପହଞ୍ଚିଲା ପର୍ଯ୍ୟନ୍ତ ରାସ୍ତାସାରା କରୋନା ବାଣ୍ଟି ବାଣ୍ଟି ଆସିବାର ସମ୍ଭାବନା ରହିଛି । ତେଣୁ ପ୍ରତ୍ୟେକ ନେଗେଟିଭ ରିପୋର୍ଟକୁ ତନ୍ନ ତନ୍ନ କରି ଯାଞ୍ଚ କରିବା ଜରୁରୀ ହୋଇପଡିଛି ।