ପୁଣେ: ପୁଣେରୁ ଆସିବ କୋଭିଡ ଭ୍ୟାକସିନ । ସେରମ ଇନଷ୍ଟିଚ୍ୟୁଟରେ ବିତରିତ ହେବାକୁ ଥିବା ୫ କୋଟି ଟିକାର ଡୋଜ ପ୍ରସ୍ତୁତ ରହିଛି । ସେହିପରି ଟିକା ପହଞ୍ଚାଇବା ପାଇଁ ପୁଣେ ଏୟାରପୋର୍ଟରେ ପ୍ରସ୍ତୁତ ହୋଇରହିଛି କାର୍ଗୋ ବିମାନ । ତେଣୁ ଦିନେ ଦୁଇ ଦିନ ଭିତରେ ଦେଶର ବିଭିନ୍ନ ଅଞ୍ଚଳରେ ଟିକା ପହଞ୍ଚିଯିବ ବୋଲି ଆଶା କରାଯାଉଛି । ଏପଟେ ଆଜି ଦେଶର ୩୩ ରାଜ୍ୟର ୭ଶହରୁ ଅଧିକ ଜିଲ୍ଲାରେ ଟିକାକରଣର ପୂର୍ବାଭ୍ୟାସ କରାଯାଇଛି ।

ସିରମ ଇନଷ୍ଟିଚ୍ୟୁଟରୁ ବିତରଣ ପାଇଁ କୋଭିଡ ଟିକା ପ୍ରସ୍ତୁତ ରହିଛି । ଦେଶର ବିଭିନ୍ନ ସହରକୁ ଟିକା ପହଞ୍ଚାଇବାକୁ ପୁଣେ ଏୟାରପୋର୍ଟ ବି ପ୍ରସ୍ତୁତ । କେବଳ ଅପେକ୍ଷା ରହିଛି ଟିକା କିଣିବା ନେଇ ସରକାରଙ୍କ ଅନୁଷ୍ଠାନିକ ଆଦେଶକୁ । ପୁଣେରୁ ଦୈନିକ ୪୦ ବିମାନ ଜରିଆରେ ଦେଶରେ ୧୫ଟି ସ୍ଥାନକୁ ଟିକା ପଠାଯିିବ । ଦୈନିକ ୧୫୦ ଟନର ଟିକା ଓ ଆନୁସଙ୍ଗୀକ ସାମଗ୍ରୀ ପରିବହନ କରାଯାଇ ପାରିବ ବୋଲି ଟୁଇଟ କରିଛନ୍ତି ପୁଣେ ଏୟାରପୋର୍ଟ କର୍ତୃପକ୍ଷ ।

ତେବେ ସିରମ ଇନଷ୍ଟିଚ୍ୟୁଟର କାର୍ଯ୍ୟନିର୍ବାହି ନିର୍ଦ୍ଦେଶକ ସୁରେଶ ଯାଦବ କହିଛନ୍ତି । କମ୍ପାନୀ ପାଖରେ କରୋନା ଟିକାର ୫ କୋଟି ଡୋଜ ମହଜୁଦ ରହିଛି । ସରକାରଙ୍କ ନିର୍ଦ୍ଦେଶ ମିଳିବା ମାତ୍ରେ ବିଭିନ୍ନ ସ୍ଥାନକୁ ପଠାଇବା କାମ ଆରମ୍ଭ ହୋଇଯିବ । କରୋନା ଟିକାକରଣ ପୂର୍ବରୁ ୩୩ ରାଜ୍ୟର ୭୩୬ ଜିଲ୍ଲାରେ ପୂର୍ବାଭ୍ୟାସ କରାଯାଇଛି । ସେପଟେ ଚେନ୍ନାଇରେ ଡ୍ରାଏ ରନର ସ୍ଥିତି ପରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ । ଏହି ଅବସରରେ ସେ କହିଛନ୍ତି, ଦେଶରେ ଶୀଘ୍ର ଟିକାକରଣ ଆରମ୍ଭ କରାଯିବ ।