ନୂଆଦିଲ୍ଲୀ : କରୋନା ଭାଇରସ ମହାମାରୀ ଦେଶରେ ପୁଣି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଗତ ଥର ଭଳି ଏଥର ମଧ୍ୟ ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ ପୁଣି ସବୁଠୁ ଅଧିକ ପ୍ରଭାବିତ ରାଜ୍ୟରେ ପରିଣତ ହୋଇଛନ୍ତି। ଏହି ସବୁ ରାଜ୍ୟରେ ଅଚାନକ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ପରିସ୍ଥିତିର ଗୁରତ୍ୱକୁ ଦେଖି କେନ୍ଦ୍ର ଗୃହମନ୍ତ୍ରାଳୟ ଆକ୍ସନ ମୋଡକୁ ଆସିଛନ୍ତି। କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ପତ୍ର ଲେଖିଛନ୍ତି।
ଭଲ୍ଲା ତାଙ୍କ ପତ୍ରରେ ପୁଣି କରୋନା ଭାଇରସ ସଂକ୍ରମଣ ବଢୁଥିବାର ଦେଖାଯାଉଛି ବୋଲି ଉଲ୍ଲେଖ କରିଥିବା ବେଳେ ଏଥିଲାଗି ପୂର୍ବରୁ ନିର୍ଦ୍ଧାରିତ ଉପାୟ ଯୋଜନାବଦ୍ଧ ଭାବେ ପର୍ଯ୍ୟାୟ କ୍ରମେ ଲାଗୁ କରିବା ଲାଗି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସବୁ ଉପାୟରେ ବାଧ୍ୟତାମୂଳକ ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା କଡାକଡ଼ି ପାଳନ କରିବା, କୌଣସି ପରିସ୍ଥିତିରେ ଭିଡ ଏକତ୍ର କରିବାକୁ ନ ଦେବା ଓ ଏଥିଲାଗି ଜନସଚେତନତା ସୃଷ୍ଟି କରିବାକୁ ଭଲ୍ଲା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।
କେନ୍ଦ୍ରଗୃହ ସଚିବଙ୍କ ଅନୁସାରେ ଆଉ ମାତ୍ର କିଛି ଦିନ ପରେ ଦେଶରେ ହୋଲି ଉତ୍ସବ ପାଳିତ ହେବ। ଦୋଳଯାତ୍ରା ଓ ହୋଲିରେ ଲୋକଙ୍କ ଭିଡ ଜମିବ। ଏଣୁ ରାଜ୍ୟ ସରକାରମାନେ ଏଥିଲାଗି ଗାଇଡଲାଇନ ପ୍ରସ୍ତୁତ କରି ଏହାକୁ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଛନ୍ତି। ଯାହା ଦ୍ୱାର ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ସେ ଉଲ୍ଲେଖ କରିଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ଦେଶରେ ଶୁକ୍ରବାର ଗୋଟିଏ ଦିନରେ ୪୦ ହଜାର ୯୫୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୮୮ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୫ଲକ୍ଷ ୫୫ ହଜାର ୨୮୪ରେ ପହଞ୍ଚିଥିବା ବେଳେ ୧ଲକ୍ଷ ୫୯ ହଜାର ୫୫୮ ଜଣ ପ୍ରାଣ ହରାଇଛନ୍ତି। ଦେଶରେ ଏବେ ଆକ୍ଟିଭ ମାମଲା ସଂଖ୍ୟା ୨ଲକ୍ଷ ୮୮ ହଜାର ୩୯୪କୁ ପହଞ୍ଚିଛି।