ତୁର୍କୀରେ ଭୟଙ୍କର ଭୂକମ୍ପ ସବୁକିଛି ଛାରଖାର କରିଦେବାପରେ ତୁର୍କୀ ଏବେ ନୂଆ ନିର୍ମାଣ ପାଇଁ ପ୍ରସ୍ତୁତ ହେଉଛି। ଭୂକମ୍ପ ଯୋଗୁଁ ଘର ହରାଇ ଦେଇଥିବା ୧୫ ଲକ୍ଷ ଲୋକଙ୍କ ପାଇଁ ଘର ନିର୍ମାଣ ଯୋଜନା ଆରମ୍ଭ ହୋଇଛି। କିନ୍ତୁ ଭୂକମ୍ପର ପ୍ରକୋପ ଏଯାଏଁ ସରିନି। ଶନିବାର ତୁର୍କୀରେ ପୁଣି ୫.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। କେନ୍ଦ୍ରୀୟ ତୁର୍କୀର ନିଗଡ଼େ ପ୍ରଦେଶରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଇତିମଧ୍ୟରେ ଫେବ୍ରୁଆରି ୬ ତାରିଖରେ ହୋଇଥିବା ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ୫୦ ହଜାର ଟପିଯାଇଛି। ଫେବ୍ରୁଆରି ୬ ତାରିଖର ଭୂକମ୍ପ ପାଇଁ ୫ ଲକ୍ଷରୁ ଅଧିକ ଘର ଭାଙ୍ଗି ଯାଇଛି।
ତୁର୍କୀ ରାଷ୍ଟ୍ରପତି ତାୟିପ ଏର୍ଡୋଗାନ ବର୍ଷକ ମଧ୍ୟରେ ସବୁ ଘର ପୁନଃନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ତୁର୍କୀ ସରକାରଙ୍କ ପ୍ରଥମ ଯୋଜନା ହେଉଛି ୨ ଲକ୍ଷ ଆପାର୍ଟମେଣ୍ଟ୍ ଏବଂ ୭୦ ହଜାର ଘର ନିର୍ମାଣ କରିବା। ଏଥିପାଇଁ ଆନୁମାନିକ ୧୫ ବିଲିଅନ ଡଲାର ଖର୍ଚ୍ଚ ହେବ।