Odia News Portal

୨୦ ହାଇକୋର୍ଟ ବିଚାରପତିଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ନାମ ସୁପାରିସ କଲା କଲେଜିୟମ

ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ସୁପ୍ରିମକୋର୍ଟ କଲେଜିୟମ ଆଜି ୨୦ ଜଣ ଅତିରିକ୍ତ ହାଇକୋର୍ଟ ବିଚାରପତିଙ୍କୁ ସ୍ଥାୟୀ ବିଚାରପତି ନିଯୁକ୍ତ କରିବାପାଇଁ କେନ୍ଦ୍ର ସରକାରଙ୍କୁ ନାମ ସୁପାରିସ କରିଛନ୍ତି। ଆହ୍ଲାବାଦ , ବମ୍ବେ, ମାଡ୍ରାସ ଏବଂ ଦିଲ୍ଲୀ ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଁ କଲେଜିୟମ ୨୦ ଜଣଙ୍କ ନାମ ସୁପାରିସ କରିଛନ୍ତି। ସର୍ବାଧିକ ୧୦ ଜଣଙ୍କ ନାମ ଆହ୍ଲାବାଦ ହାଇକୋର୍ଟ ବିଚାରପତି ପାଇଁ ସୁପାରିସ କରାଯାଇଛି। ମାଡ୍ରାସ ହାଇକୋର୍ଟ ପାଇଁ ୫ ଜଣ , ବମ୍ବେ ହାଇକୋର୍ଟ ପାଇଁ ୪ ଜଣ ଏବଂ ଦିଲ୍ଲୀ ହାଇକୋର୍ଟ ପାଇଁ ‌ ଜଣଙ୍କ ନାମ ସୁପାରିସ କରାଯାଇଛି। ୩ ଜଣିଆ ସଦସ୍ୟ ବିଶିଷ୍ଟ କଲେଜିୟମରେ ଅନ୍ୟ ୨ ଜଣ ସଦସ୍ୟ ହେଉଛନ୍ତି ଜଷ୍ଟିସ ସଂଜୟ କିଶାନ କୌଲ ଏବଂ କେଏମ୍‌ ଯୋସେଫ୍‌।

ଅତିରିକ୍ତ ବିଚାରପତି ଜଷ୍ଟିସ ଚନ୍ଦନ କୁମାର, କ୍ରୀଷ୍ଣା ପାହାଲ, ସମୀର ଜୈନ, ଆଶୁତୋଷ ଶ୍ରୀବାସ୍ତବ, ସୁଭ‌ାଷ ବିଦ୍ୟାର୍ଥୀ, ବ୍ରିଜ ରାଜ ସିଂହ, ପ୍ରକାଶ ସିଂହ, ବିକାଶ ବୁଧୱର, ଓମ ପ୍ରକାଶ ତ୍ରିପାଠୀ, ବିକ୍ରମ ଡି ଚୌହାନଙ୍କୁ ଆହ୍ଲାବାଦ ହାଇକୋର୍ଟର ସ୍ଥାୟୀ ବିଚାରପତି ନିଯୁକ୍ତ କରିବାପାଇଁ କଲେଜିୟମ ସୁପାରିସ କରିଛନ୍ତି। କୋର୍ଟ ଅନ୍ୟ ୩ ହାଇକୋର୍ଟ ପାଇଁ ମଧ୍ୟ ପୃଥକ୍‌ ସୁପାରିସ ପତ୍ରରେ ନାମ ସୁପାରିସ କରିଛନ୍ତି। ଜଷ୍ଟିସ ଅମିତ ଶର୍ମାଙ୍କୁ ଦିଲ୍ଲୀ ହାଇକୋର୍ଟର ସ୍ଥାୟୀ ବିଚାରପତି ନିଯୁକ୍ତ କରିବାପାଇଁ କଲେଜିୟମ ସୁପାରିସ କରିଛନ୍ତି। ବିଚାରପତି ନିଯୁକ୍ତିକୁ ନେଇ ସୁପ୍ରିମ୍‌କୋର୍ଟ କଲେଜିୟମ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ କିଛିଦିନ ବିବାଦୀୟ ସ୍ଥିତି ରହିବା ପରେ ଏବେ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି।