ଭୁବନେଶ୍ୱର: ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭା । ଏଥିରେ ପ୍ରମୋଦଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପୂର୍ବରୁ ଘୋଷଣା କରିଥିବା ପୁରସ୍କାର ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରମୋଦଙ୍କ ଲାଗି ୬ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ରାଜ୍ୟ ସରକାର । ଏହାସହ ତାଙ୍କୁ ଗ୍ରୁପ -ଏରେ ଚାକିରୀ ଦେବା ଲାଗି ମଧ୍ୟ ପ୍ରତିଶ୍ରୃତି ଦେଇଥିଲେ । ଆଜି ସେସବୁ ପୂରଣ ହୋଇଛି ।

ସେପଟେ ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ତୁମର ଉଲ୍ଲେଖନୀୟ ସଫଳତା ପାଇଁ ତୁମକୁ ଉତ୍ସାହିତ କରିବା ମୋତେ ବହୁତ ଆନନ୍ଦ ଦେଇଥାଏ । ତୁମର ବିଜୟ ସମଗ୍ର ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ ଥିଲା ଏବଂ ସବୁଦିନ ପାଇଁ ରହିବ । ଆଗାମୀ ଯାତ୍ରାରେ ଆମେ ଆପଣଙ୍କୁ ସମର୍ଥନ ଜାରି ରଖିବୁ। ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ପରେ ତାଙ୍କର ଅଲିମ୍ପିକ୍ ଯାତ୍ରାରେ ନିରନ୍ତର ସମର୍ଥନ ଏବଂ ପ୍ରେରଣା ପାଇଁ ପ୍ରମୋଦ ଭାଗତ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
