Odia News Portal

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦ୍ମପୁର ଗସ୍ତ

ପଦ୍ମପୁରରୁ ମିଶନ ପଶ୍ଚିମ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦ୍ମପୁର ଗସ୍ତ। ୨୦୨୪ ପାଇଁ ପଦ୍ମପୁରରୁ ପଶ୍ଚିମଦ୍ୱାର ଖୋଲିବେ ନବୀନ। ମୁଖ୍ୟମନ୍ତ୍ରୀଙ୍କ ୩ ମାସ ଭିତରେ ଏହା ଦ୍ୱିତୀୟ ପଦ୍ମପୁର ଗସ୍ତ। ଆଜିର ଗସ୍ତରେ ବଡ଼ ଘୋଷଣା ହୋଇପାରେ ବୋଲି ଆଶାବାନ୍ଧି ବସିଛନ୍ତି ପଦ୍ମପୁରବାସୀ। ମୁଖ୍ୟମନ୍ତ୍ରୀ ଯେଉଁ ୩ଟି ସ୍ଥାନରେ ପ୍ରଚାର କରିଥିଲେ, ସେଠାରେ ରହିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ। ବିଧାୟିକା ବର୍ଷା ସିଂହ ବରିହାଙ୍କ ସହ ପଦ୍ମପୁରବାସୀଙ୍କ ସାମ୍ନାକୁ ଆସିବେ ନବୀନ। ପଦ୍ମପୁର ନିର୍ବାଚନ ମଣ୍ଡଳୀର ଝାରବନ୍ଧ ଶକ୍ତି ପଡିଆ, ପାଇକମାଳ ହାଇସ୍କୁଲ ପଡିଆ ଓ ପଦ୍ମପୁର ଆରବି ହାଇସ୍କୁଲ ପଡିଆରେ ଜନସାଧାରଣଙ୍କୁ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି।

ମିଶନ ଶକ୍ତି ଏସ୍‌ଏଚ୍‌ଜି ମହିଳାଙ୍କୁ ଚେକ୍‌ ପ୍ରଦାନ ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଝାରବନ୍ଧରେ ଉପସ୍ଥିତ ରହିବେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ସହ ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ସୁଶାନ୍ତ ସିଂ। ପାଇକମାଳରେ ମନ୍ତ୍ରୀ ପ୍ରତାପ ଦେବ, ରୀତା ସାହୁ ଓ ଟୁକୁନି ସାହୁଙ୍କ ସହ ଉପସ୍ଥିତ ରହିବେ ବିଧାୟିକା ସ୍ନେହାଙ୍ଗିନି ଛୁରିଆ। ପଦ୍ମପୁର ସଭାରେ ଉପସ୍ଥିତ ରହିବେ ମନ୍ତ୍ରୀ ନିରଞ୍ଜନ ପୂଜାରୀ।

ଡିସେମ୍ବର ୨ରେ ଉପନିର୍ବାଚନ ପ୍ରଚାର କରିଥିଲେ ନବୀନ । ସେତେବେଳେ ପ୍ରମୁଖ ପ୍ରତିଶ୍ରୁତି ଥିଲା ଖୁବଶୀଘ୍ର ପଦ୍ମପୁରକୁ ଜିଲ୍ଲା ମାନ୍ୟତା, ପାଇକମାଳକୁ ଏନ୍‌ଏସି କରିବା, ପାଇକମାଳ ପିଏଚ୍‌ସିକୁ ସିଏଚ୍‌ସି କରିବା, ଝାରବନ୍ଧରେ ଚକ୍ରଧର ଡ୍ୟାମର ପୁନଃରୁଦ୍ଧାର ଓ ୧୧ କେଭି ଷ୍ଟେସନ। ଏଭିତରେ ପାଇକମାଳ PHC ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ ହୋଇ ସାରିଛି।