ଭୁବନେଶ୍ବର: କଳାହାଣ୍ଡି ସୁନ୍ଦରଗଡ଼ ପରେ ଆଜି ନୂଆପଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆପଡ଼ା ଓ ବଲାଙ୍ଗୀରକୁ ଦେବେ ୪ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଭେଟି। ସବୁଠୁ ଅଧିକ ଫୋକସରେ ରହିବ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ। ଯାହା ମରୁଡ଼ି ପ୍ରବଣ ନୂଆପଡ଼ା ଜିଲ୍ଲାକୁ କରିବ ଚିରହରିତ। ତିଖାଲିଠାରେ ୨୦୨୦ ମେ ୭ ତାରିଖରେ ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ ହୋଇଥିଲା।
ଜିଲ୍ଲାକୁ ଫ୍ଳୋରାଇଡ୍ ମୁକ୍ତ ଓ ଶୁଦ୍ଧ ପାନୀୟଜଳ ଯୋଗାଇବା ଲକ୍ଷ୍ୟରେ ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଥିଲେ। ଏକ ହଜାର ୬୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବା ସହ ପାନୀୟ ଜଳ, ରାସ୍ତା, ଦକ୍ଷତା ବିକାଶ କେନ୍ଦ୍ର ଭଳି ୭୫୦ କୋଟି ଟଙ୍କାର ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ଦ୍ୱାରା ନୂଆପଡ଼ା ଜିଲ୍ଲାର ୧୩ ହଜାର ୧୯୧ ହେକ୍ଟର ଓ ବଲାଙ୍ଗୀର ଜିଲ୍ଲାର ହଜାରେ ୬୭୦ ହେକ୍ଟର ଜମି ଜଳସେଚିତ ହେବ।
ଯାହାକି ପଶ୍ଚିମ ଓଡ଼ିଶା ଚାଷୀଙ୍କ ମୁହଁରେ ହସ ଫୁଟାଇବାରେ ବେଶ ସହାୟକ ହେବ। ୨୧ ବର୍ଷ ଧରି ରାଜ୍ୟ ଚତୁଃପାର୍ଶ୍ୱର ବିକାଶର କର୍ଣ୍ଣଧାର ସାଜିଛନ୍ତି ନବୀନ। ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ରାଜ୍ୟର ୬ଜଣ ମନ୍ତ୍ରୀ ଓ ୪୦ ଜଣ ବିଧାୟକ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ବି ରହିଛି । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୧୨ଟି ସ୍ଥାନରେ ବଡ଼ ପରଦା ଲଗାଯାଇ କାର୍ଯ୍ୟକ୍ରମର ସିଧାପ୍ରସାରଣ ବ୍ୟବସ୍ଥା ହୋଇଛି ।
ପ୍ରଶାସନ ପକ୍ଷରୁ ମିଳିଥିବା କାର୍ଯ୍ୟସୂଚୀ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ସକାଳ ସାଢ଼େ ୯ଟାରେ ନବୀନ ନିବାସରୁ ବାହାରି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡାଜାହାଜରେ ନୂଆପଡ଼ା ଗୌତମା ଏୟାର ଷ୍ଟ୍ରିପ୍ରେ ପହଞ୍ଚିବେ । ସେଠାରୁ ହେଲିକପ୍ଟର ଯୋଗେ ତିଖାଲି ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ସ୍ଥାନକୁ ପହଞ୍ଚି ସେଠାରେ ପ୍ରଥମେ ପ୍ରକଳ୍ପ ଉଦ୍ଘାଟନ କରିବେ । ୨୦୦୦ ମସିହା ମଇ୭ ତାରିଖରେ ଏହି ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା। ଏହାପରେ ଖଡ଼ିଆଳ ରାଜା ଏଟି ହାଇସ୍କୁଲ ପଡ଼ିଆରେ ପହଞ୍ଚି ସେଠାରେ ଏକ ସାଧାରଣ ସଭାରେ ଯୋଗଦେବେ । ଏହି ସ୍ଥାନରୁ ୪ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ ଓ ଶିଳାନ୍ୟାସ କରିବେ।