ଭୁବନେଶ୍ୱର: ଓଡ଼ିଶା ଆଡ଼କୁ ଦ୍ରୁତ ଗତିରେ ମାଡ଼ି ଆସୁଛି ‘ବାତ୍ୟା ୟସ’ ।ଆଉ ବାତ୍ୟା ମୁକାବିଲା ନେଇ ପ୍ରଶାସନ ପୁରାପୁରି ପ୍ରସ୍ତୁତ ଥିବା ସମୟରେ ଆଜି ଅପରାହ୍ନ ସାଢେ ୫ଟାରେ ବାତ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସଆରସି କଣ୍ଟ୍ରୋଲ ରୁମରୁ ବାତ୍ୟା ଉପରେ କିପରି ନଜର ରଖାଯାଇଛି, ସେନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।
ଅନ୍ୟପକ୍ଷେ ଏବେ ସମୁଦ୍ର ମଧ୍ୟରେ ପ୍ରବଳ ବାତ୍ୟାର ରୂପ ନେଇସାରିଛି ୟସ୍ ।ତେବେ ପାଣିପାଗ ବିଭାଗର ତାଜା ସୂଚନା ଅନୁଯାୟୀ ଓଡିଶାର ଧାମରା ଓ ଚାନ୍ଦବାଲି ନିକଟରେ ବାତ୍ୟା ୟସ୍ ଲ୍ୟାଣ୍ଡଫଲ୍ କରିବ ବୋଲି ଅନୁମାନ କରାଯାଉଛି । ତେବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଲାଣି । କିଛି ଅଞ୍ଚଳରେ ବର୍ଷା ସହ ପବନ ବହିବା ମଧ୍ୟ ଆରମ୍ଭ ହୋଇଗଲାଣି ।ଏମିତିକି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତୁହାକୁ ତୁହା ପବନ ଏବଂ ବର୍ଷା ଆରମ୍ଭ ହୋଇଯାଇଛି ।