ଭୁବନେଶ୍ୱର: ଦୀର୍ଘ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଓଡିଶାର ମାଟି, ପାଣି, ପବନ ସହ ଜଡିତ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଆଙ୍କ ସୁଖ ଦୁଃଖର ସାଥୀ ହୋଇଛନ୍ତି । ଅନେକ ବିପତ୍ତି ସମୟରେ ମୁଖ୍ୟମନ୍ତ୍ରୀ ଆଗକୁ ଆସି ସାହସର ସହ ମୁକାବିଲା କରିଛନ୍ତି । କେବଳ ରାଜ୍ୟ ନୁହେଁ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏବେ କରୋନା ମହାମାରୀ ଲଢେଇରେ ତାଙ୍କର ବଳିଷ୍ଠ ପଦକ୍ଷେପକୁ ସାରା ଦେଶ ସଲାମ କରୁଛି। ତେଣୁ ନବୀନ କେବଳ ଆମ ପାଇଁ ନୁହେଁ ଦେଶ ପାଇଁ ହିରୋ, ଚାମ୍ପିଆନ ଓ ରାଷ୍ଟ୍ରନାୟକ ତାହା ପ୍ରମାଣିତ କରି ଦେଖାଇଛନ୍ତି। ସାଢ଼େ ୪ କୋଟି ଓଡ଼ିଶାବାସୀ ମୋ ପରିବାର । ମୁଁ ଚାହେଁ ମୋ ପରିବାର ନିରାପଦ ରହୁ । ମୋ ଓଡ଼ିଶା ସୁସ୍ଥ ରହୁ । ମୋ ପରିବାରର ପ୍ରତିଟି ଜୀବନ ମୋ ପାଇଁ ଅତ୍ୟନ୍ତ ମୂଲ୍ୟବାନ । ସେଥିପାଇଁ ରାଜ୍ୟର ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ରାଜ୍ୟ ସରକାର ମାଗଣାରେ କୋଭିଡ୍ ପ୍ରତିରୋଧକ ଟିକା ଯୋଗାଇଦେବାକୁ ବଡ଼ ଘୋଷଣା କରିଥିଲେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟିକା ନେଇ ଆମେ କରୋନା ମହାମାରୀକୁ ସମସ୍ତେ ମିଳିମିଶି ହରାଇ ପାରିବା। ଏହି କଥାକୁ ଦୃଢ଼ତାର ସହ ଦୋହରାଇଛନ୍ତି ନବୀନ ।
କରୋନାର ପ୍ରଥମ ଲହର ମୁକାବିଲାରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି ଓଡ଼ିଶା । ସେଥିପାଇଁ ବୋଧେ ରାଜଧାନୀ ଦିଲ୍ଲୀ ଭଳି ସହରରେ ହୁ ହୁ ହୋଇ ସଂକ୍ରମିତ ବଢ଼ି ଚାଲି ଥିବା ସମୟରେ ଆମ ରାଜ୍ୟର ସ୍ଥିତି ଅପେକ୍ଷାକୃତ ବେଶ୍ ଭଲ ରହିଛି।ଆଉ ଏହି କରୋନାର ମହାସଂଗ୍ରାମକୁ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ସମସ୍ତଙ୍କୁ ମାଗଣା ଟିକା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି| ଯାହା ରାଜ୍ୟର ପ୍ରାୟ ୨ କୋଟି ନାଗରିକଙ୍କୁ ଆଶ୍ଵସ୍ତି ପ୍ରଦାନ କରିଛି | ମୁଖ୍ୟମନ୍ତ୍ରୀ ନିଜ ଉଦବୋଧନରେ ସାରା ଓଡ଼ିଶାବାସୀଙ୍କୁ ମୋ ପରିବାର ବୋଲି କହି ଓ ସେମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ସକାଶେ ଏତେ ବଡ଼ ଘୋଷଣା କରି ପ୍ରମାଣିତ କରି ଦେଇଛନ୍ତି ଯେ ବାସ୍ତବରେ ସେ ହେଉଛନ୍ତି ରାଷ୍ଟ୍ର ନାୟକ । ରାଜ୍ୟର ୨ କୋଟି ଲୋକଙ୍କ ପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚରେ ମାଗଣା ଟିକାକରଣର ଯେଉଁ ଘୋଷଣା କରିଛନ୍ତି ତାହାକୁ ପରବର୍ତ୍ତୀ ସମୟରେ କର୍ଣ୍ଣାଟକ ଓ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଅନୁକରଣ କରିଛନ୍ତି । ଏଥିରୁ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିର ସ୍ପଷ୍ଟ ପରିଚୟ ମିଳୁଛି।
କେନ୍ଦ୍ର ସରକାର ମେ ପହିଲାରୁ ୧୮ ବର୍ଷରୁ ଅଧିକ ବୟସର ସବୁ ଲୋକଙ୍କୁ ଟିକା ଦିଆଯାଇ ପାରିବ ବୋଲି ଘୋଷଣା କରିଥିଲେ। ତେବେ ଯେତେବେଳେ ପର୍ଯ୍ୟାୟକ୍ରମେ କରୋନା ଯୋଦ୍ଧା, ୬୦ ବର୍ଷରୁ ଅଧିକ ଏବଂ ପରେ ୪୫ ବର୍ଷରୁ ଊର୍ଦ୍ଧ୍ଵ ବୟସ ବର୍ଗର ଲୋକଙ୍କୁ ଟିକାକରଣରେ ସାମିଲ କରାଯାଇଥିଲା ସେ କ୍ଷେତ୍ରରେ ବର୍ତ୍ତମାନ ସମୟରେ ବି ସମସ୍ତଙ୍କ ପାଇଁ ଟିକା ସୁଲଭରେ ଉପଲବ୍ଧ ହୋଇପାରୁନି । ଏଣୁ ରାଜ୍ୟର ସିଂହଭାଗ ଲୋକଙ୍କ ପାଇଁ ଯେତେବେଳେ ଟିକାକରଣରେ ସାମିଲ ହେବାର ସୁଯୋଗ ଉପୁଜିଛି, ସେତେବେଳେ ଗୋଟିଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଠୁଛି ଯେ ଆମକୁ ଟିକା ମିଳିପାରିବ ତ ? ରାଜ୍ୟବାସୀଙ୍କ ଏହି ଦ୍ବନ୍ଦ ଓ ଉଦବିଗ୍ନକୁ ବୁଝି ନିଜ ପରିବାର ସଦସ୍ୟଙ୍କ ଚିନ୍ତା ଓ ଆଶଙ୍କାକୁ ଦୂର କରିବା ସକାଶେ ମୁଖ୍ୟମନ୍ତ୍ରୀ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ରାଜ୍ୟକୁ ୨ ହଜାର କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ବୋଝ ମୁଣ୍ଡାଇବାକୁ ପଡ଼ିବ। କିନ୍ତୁ ଯେତେବେଳେ ନିଜ ପରିବାର ତୁଲ୍ୟ ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟ ସମ୍ପଦ କଥା ଉଠୁଛି ସେତେବେଳେ ନବୀନ ପଟ୍ଟନାୟକ ଯେକୌଣସି ଆର୍ଥିକ ବୋଝକୁ ତୁଲାଇବାକୁ ସଦା ପ୍ରସ୍ତୁତ ବୋଲି ସ୍ପଷ୍ଟ ସଙ୍କେତ ଦେଇଛନ୍ତି। ୧୮ ବର୍ଷରୁ ଊର୍ଦ୍ଧ୍ଵ ସମସ୍ତଙ୍କୁ ମାଗଣା ଟିକାକରଣ ଘୋଷଣା କରି ସେମାନଙ୍କୁ ଏକ ବଡ ଅସ୍ତ୍ର ଧରାଇ ଦେଇଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ।
ମୋଟାମୋଟି ଭାବେ ଏହା କୁହାଯାଇପାରେ କି କୋଭିଡ୍ ମୁକାବିଲାରେ ସଫଳ ରଣନୀତି ଆପଣାଇ ନବୀନ ପଟ୍ଟନାୟକ କେବଳ ଯେ ଚାମ୍ପିଅନ୍ ହୋଇଛନ୍ତି ତା ନୁହେଁ ବରଂ କୋଟି କୋଟି ରାଜ୍ୟବାସୀଙ୍କ ହୃଦୟରେ ନିଜ ସ୍ବତନ୍ତ୍ର ସ୍ଥାନକୁ ଅଧିକ ମହତ୍ତ୍ଵପୂର୍ଣ୍ଣ କରିପାରିଛନ୍ତି। କେବଳ ପ୍ରତିଟି ଓଡ଼ିଆଙ୍କ ନୁହେଁ, ତା ସହ ଅମ୍ଲଜାନ ଯୋଗାଇ କୋଟି କୋଟି ଦେଶବାସୀଙ୍କ ମଧ୍ୟରେ ରାଷ୍ଟ୍ରନାୟକର ଛବିକୁ ଅଧିକ ମଜବୁତ କରିଛନ୍ତି। ସେ ପୁଣିଥରେ ଦେଖାଇ ଦେଇଛନ୍ତି ଯେ କାହିଁକି ସେ ଓଡ଼ିଶାର ବର୍ତ୍ତମାନ ସମୟର ଅଦ୍ବିତୀୟ ଜନନାୟକ। ପରିବାରର ମୁଖିଆ ହିସାବରେ କୋଟି କୋଟି ଓଡ଼ିଆଙ୍କ ଦାୟିତ୍ୱ ସୂଚାରୁ ରୂପେ ନିର୍ବାହ କରି ଆସିବା ସହ ସେମାନଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ନିରାପଦ ଜୀବନ ପାଇଁ ସମସ୍ତ ପଦକ୍ଷେପ ସଠିକ ସମୟରେ ନେଇଛନ୍ତି। ଏଭଳି ଜନପ୍ରିୟ ରାଷ୍ଟ୍ରନାୟକଙ୍କ ସୁଶାସନରେ ଆମେ ସମସ୍ତେ ଯେ ଆଶ୍ବସ୍ତ ଓ ସୁରକ୍ଷିତ ସେଥିରେ କୌଣସି ସନ୍ଦେହର ଅବକାଶ ମଧ୍ୟ ନାହିଁ।