ଆସନ୍ତା ୨୬ ପର୍ଯ୍ୟନ୍ତ ଦିଲ୍ଲୀରେ ତାଲାବନ୍ଦ
*ଦିଲ୍ଳୀରେ ଲାଗୁ ହେଲା ୬ ଦିନିଆ ଲକଡାଉନ୍ |
*ଲକଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ |
*କରୋନା ସଂକ୍ରମଣ ଅସମ୍ଭାଳ ହେବାରୁ କଡ଼ା ପଦକ୍ଷେପ |
*ଦିଲ୍ଲୀରେ ପ୍ରତି ୩ଜଣଙ୍କ ମଧ୍ୟରେ ଜଣେ ସଂକ୍ରମିତ |
ନୂଆଦିଲ୍ଲୀ: ଦିଲ୍ଳୀରେ ଭୟଙ୍କର ରୂପ ଧାରଣ କରିଛି କରୋନା ସ୍ଥିତି । ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ଦେଖି ଦିଲ୍ଲୀ ସରକାର ସୋମବାର ରାତି ୧୦ଟାରୁ ଆସନ୍ତା ସୋମବାର ସକାଳ ୫ଟା ଯାଏଁ ସମ୍ପୂର୍ଣ କର୍ଫ୍ୟୁ ଘୋଷଣା କରିଛନ୍ତି। ରବିବାର ଦିନ ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ ୨୫ ହଜାର ୪୬୨ ନୂଆ ମାମଲା ସାମ୍ନାକୁ ଆସିଥିଲା। ଏହାସହ ପଜିଟିଭ୍ ହାର ୩୦ ପ୍ରତିଶତରେ ପହଞ୍ଚିଛି। ସଂକ୍ରମଣ ହାର ୨୯.୭୪ ପ୍ରତିଶତ ହେବା ଅର୍ଥାତ ଦିଲ୍ଲୀରେ ପ୍ରତି ୩ଜଣଙ୍କ ମଧ୍ୟରେ ଜଣେ ସଂକ୍ରମିତ। ତେବେ ସପ୍ତାହନ୍ତ ଲକଡାଉନ ସମୟରେ ଯେଉଁଭଳି କଟକଣା ଲଗାଯାଇଥିଲା ସେହିଭଳି କଟକଣା କର୍ଫ୍ୟୁ ସମୟରେ ମଧ୍ୟ ଲଗାଯିବ ।
ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୩ ହଜାର ୪୬୦ରେ ପହଞ୍ଚିଛି। ମୃତକଙ୍କ ସଂଖ୍ୟା ୧୨ ହଜାର ୧୨୧ରେ ପହଞ୍ଚିଛି। ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୨୫ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସମୟରେ ଦିନକରେ ୧୬୧ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀରେ କରୋନା ବେକାବୁ ହେଉଥିବାରୁ ଦିଲ୍ଲୀ ସରକାର ସମ୍ପୂର୍ଣ୍ଣ କର୍ଫ୍ୟୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ ସହରରେ ୧୦୦ ରୁ କମ ଆଇସିୟୁ ବେଡ଼ ଅଛି। ଦିଲ୍ଲୀରେ ଆଇସିୟୁ ବେଡ଼, ଅକ୍ସିଜେନର ଅଭାବ ପରିଲକ୍ଷିତ ହୋଇଛି |ରେମଡ଼େସିଭିର ମଧ୍ୟ ଅଭାବ ପରିଲକ୍ଷିତ ହେଉଛି |ବହୁତ କଷ୍ଟରେ ଏହିଭଳି କଡ଼ା ପଦକ୍ଷେପ ନେବାକୁ ପଡୁଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି |