ରାଉରକେଲା: ଫୋକସରେ ସୁନ୍ଦରଗଡ ଜିଲ୍ଲା । କରୋନା କଟକଣା ହଟିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ଆସନ୍ତା ୧୬ ତାରିଖରେ ରାଉରକେଲାକୁ ଦିନିକିଆ ଗସ୍ତରେ ଯାଉଛନ୍ତି ।ତେବେ ଏଥର ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ଅଛି ସୁନ୍ଦରଗଡ ଜିଲ୍ଲାର ବିକାଶ | ସେନେଇ ବିଭିନ୍ନ ଯୋଜନାରେ ନବୀନ ସୁନ୍ଦରଗଡ ଜିଲ୍ଲାକୁ ଦେବେ ପ୍ରାୟ ୪ ହଜାର କୋଟି ଟଙ୍କାର ପ୍ରକଳ୍ପ ।

ତେବେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ପ୍ରାୟ ୧୦୦୦ କୋଟି ଟଙ୍କାର ପ୍ରକଳ୍ପ । ୨୦୨୩ରେ ରାଉରକେଲାରେ ହେବାକୁ ଥିବା ବିଶ୍ୱ ହକି କପ୍ ପାଇଁ ଦେଶର ସବୁଠାରୁ ବଡ ଷ୍ଟାଡିୟମର ଭିତ୍ତିପ୍ରସ୍ତରରେ ବିପିୟୁଟି ପରିସରରେ ସ୍ଥାପନ କରାଯିବ । ରାଉରକେଲା ବିପିୟୁଟି ମଞ୍ଚରେ ରହି ଡ଼ିଜିଟାଲ ମାଧ୍ୟମରେ ଜିଲ୍ଲାର ୧୭ ବ୍ଲକରେ ୧୮ ଶିଳାନ୍ୟାସ ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିପିୟୁଟି ପରିସରରେ ଭର୍ଚୁଆଲରେ ଶିଳାନ୍ୟାସ ହେବ ଆଉ ୧୭ ବ୍ଲକରେ ଲାଗିବ ଏଲଇଡ଼ି ଯାହାକୁ ପୁରା ସୁନ୍ଦରଗଡ଼ ଜିଲ୍ଲା ଦେଖିବା ସହ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ଶୁଣିବେ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ସୁନ୍ଦରଗଡ ଜିଲ୍ଲାର ୧୭ଟି ବ୍ଲକ ଦାୟିତ୍ୱରେ ୧୭ ଜଣ ମନ୍ତ୍ରୀ ଓ ୭୦ରୁ ଅଧିକ ବିଜେଡ଼ି ବିଧାୟକଙ୍କୁ ବଡ ଦାୟିତ୍ୱ ନ୍ୟସ୍ତ ହୋଇଛି | ରାଉରକେଲା ଗସ୍ତକୁ ନେଇ ଏବେ ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଛି ଜୋରଦାର ପ୍ରସ୍ତୁତି ।