ଭୁବନେଶ୍ୱର: ପୁନରୁଦ୍ଧାର ହେବ କଳିଙ୍ଗ ଷ୍ଟୁଡିଓ । କଳିଙ୍ଗ ଷ୍ଟୁଡିଓକୁ ବିଶ୍ୱସ୍ତରୀୟ ଷ୍ଟୁଡିଓ ଭାବେ ଗଢି ତୋଳିବାକୁ ରାଜ୍ୟ ସରକାର କରିଥିବା ପରିକଳ୍ପନାକୁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏନେଇ ୨ ଶହ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର ।ସେଥିପାଇଁ ଆଜି କଳିଙ୍ଗ ଷ୍ଟୁଡିଓ ପରିସରରେ ପହଞ୍ଚି ଏହାର ପୁନରୁଦ୍ଧାର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସହ ନବୀକରଣ କାର୍ଯ୍ୟ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |

ତେବେ ପୁନରୁଦ୍ଧାର ହେବା ପରେ ବିମାନବନ୍ଦର, ରେଳଷ୍ଟେସନ, ବିଲଡିଙ୍ଗ, ହସ୍ପିଟାଲ, ଜେଲ ଓ ପୋଖରୀ ସବୁ କିଛିର ସୁବିଧା ମିଳିବ କଳିଙ୍ଗ ଷ୍ଟୁଡିଓରେ।ଏଥି ସହିତ ରାସ୍ତାଠୁ ଆରମ୍ଭ କରି ଏଡିଟିଂ ରୁମ ଓ ଡବିଂ ରୁମ ସବୁକିଛି ନୂଆରୂପ ରଙ୍ଗରେ ସଜେଇ ହେବ । ଏହା ସହ କଳାକାର ଓ ପର୍ଯ୍ୟଟକଙ୍କ ପାଇଁ ଡର୍ମିଟୋରୀ ଓ କ୍ୟାଣ୍ଟିନ ବ୍ୟବସ୍ଥା ରହିବ। ଫିଲ୍ମ ସୁଟିଂ ସହ ପର୍ଯ୍ୟଟନକୁ ଗୁରୁତ୍ୱ ଦେଇ ଏହାର ପରିକଳ୍ପନା କରିଛନ୍ତି ରାଜ୍ୟ ସରକାର।

ଏହି ଶିଳାନ୍ୟାସ ଉତ୍ସବରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ଓଡ଼ିଶା ଫିଲ୍ମ ଉନ୍ନୟନ ଅଧ୍ୟକ୍ଷ କୁନା ତ୍ରିପାଠୀ, ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି, ସବ୍ୟସାଚୀ ମିଶ୍ର ଓ ଆକାଶ ଦାସ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।