Odia News Portal

କୋଭିଡ୍ କଟକଣାରେ ମା’ଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା

ପ୍ରଶାସନର ଗାଇଡଲାଇନ୍ ମାନି ହଜାର ହଜାର ମହିଳା ପୁରୁଷ କରୁଛନ୍ତି ମାଙ୍କ ଦର୍ଶନ

ବ୍ରହ୍ମପୁର: ବ୍ରହ୍ମପୁରର ଆରାଧ୍ୟ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ବେଶ୍ ପ୍ରସିଦ୍ଧ। ଭକ୍ତଙ୍କ ବିଶ୍ବାସ ମଙ୍ଗଳବାରରେ ଏଠି ଛୁଆଙ୍କ ମୁଣ୍ଡନ କଲେ ମାଙ୍କ ଆଶିର୍ବାଦ ପ୍ରାପ୍ତି ହୁଏ। ତେଣୁ ଚୈତ୍ର ଯାତ୍ରାକୁ ଅପେକ୍ଷା କରି ରହିଥାନ୍ତି ହଜାର ହଜାର ଭକ୍ତ। ତେବେ ଗତବର୍ଷ ମା ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବାଧକ ସାଜିଥିଲା କରୋନା। ହୋଇପାରି ନଥିଲା ଚୈତ୍ର ଯାତ୍ରା।

ତେବେ କିନ୍ତୁ ଜିଲ୍ଲାରେ ମହାମାରୀ ଉପରେ ନିୟନ୍ତ୍ରଣ ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଭକ୍ତଙ୍କ ନିମନ୍ତେ ଖୋଲି ଦେଇଥିଲା ମାଙ୍କ ମନ୍ଦିର। ଆଉ ଏବେ କୋଭିଡ୍ କଟକଣା ଭିତରେ ମଙ୍ଗଳବାର ଭୋରରୁ ଆରମ୍ଭ ହୋଇଛି ମା’ ତାରାତାରିଣୀଙ୍କ ଚୈତ୍ର ପାଳି ଯାତ୍ରା। ପ୍ରଶାସନର ଗାଇଡଲାଇନ୍ ମାନି ହଜାର ହଜାର ମହିଳା ପୁରୁଷ ନିଜ ଛୁଆଙ୍କ ମୁଣ୍ଡନ କରାଇବା ସହ ମା’ଙ୍କ ଦର୍ଶନ କରୁଛନ୍ତି।

ତେବେ ଏନେଇ ଫୁଲ ଏବଂ ଆଲୋକମାଳାରେ ମନ୍ଦିରକୁ ସୁସଜ୍ଜିତ କରାଯାଇଛି। କଟକଣା ମଧ୍ୟରେ ଶ୍ରଦ୍ଧାଳୁ ଯେପରି ସୁବିଧାରେ ମାଙ୍କ ଦର୍ଶନ କରିପାରିବେ ସେଥିପାଇଁ ପ୍ରଶାସନ ସବୁ ପ୍ରକାରର ବ୍ୟବସ୍ଥା କରିଛି। ସୂଚନା ଅନୁଯାୟୀ,ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୦ କୋଟି ଟଙ୍କା ବିନିଯୋଗରେ ଏହି ପୀଠରେ ବିଶ୍ବସ୍ତରୀୟ ଭିତ୍ତିଭୂମି ନିର୍ମାଣ ଚାଲିଛି। ପୀଠର ନବ କଳେବର କାର୍ଯ୍ୟ ପରେ ଶୀଘ୍ର ଏହାର ବିଧିବଦ୍ଧ ପ୍ରତିଷ୍ଠା ସମ୍ପନ୍ନ କରାଯିବ।