Odia News Portal

କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ କେନ୍ଦ୍ରର ଆର୍ଥିକ ସହାୟତା

.ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସାମ୍ବାଦିକ କଲ୍ୟାଣ ଯୋଜନାରେ ପ୍ରତ୍ୟେକ ପରିବାର ପାଇବେ ପାଞ୍ଚ ଲକ୍ଷ ଟଙ୍କା
.ପ୍ରତି ସପ୍ତାହରେ ବସିବ ସାମ୍ବାଦିକ କଲ୍ୟାଣ ଯୋଜନା ବୈଠକ

ନୂଆଦିଲ୍ଲୀ (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ତତ୍ତ୍ଵାବଧାନରେ ମନ୍ତ୍ରଣାଳୟ ନିଜ ପକ୍ଷରୁ ୨୦୨୦ ଓ ୨୦୨୧ରେ କୋଭିଡ-୧୯ରେ ପ୍ରାଣ ହରାଇଥିବା ସାମ୍ବାଦିକ ମାନଙ୍କ ସମ୍ପର୍କରେ ସବିଶେଷ ବିବରଣୀ ସଂଗ୍ରହ କରି ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ସେମାନଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଯୋଜନା କରିଛନ୍ତି ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଶ୍ରୀ ଅମିତ ଖାରେଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସାମ୍ବାଦିକ କଲ୍ୟାଣ ଯୋଜନା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ପ୍ରସ୍ତାବରେ ୨୦୨୦-୨୧ ଆର୍ଥିକ ବର୍ଷରେ କୋଭିଡ-୧୯ ଯୋଗୁଁ ପ୍ରାଣ ହରାଇଥିବା ୨୬ଜଣ ସାମ୍ବାଦିକଙ୍କ ପ୍ରତ୍ୟେକ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ ଅନ୍ତର୍ଭୁକ୍ତ । କେନ୍ଦ୍ର ସରକାର ମୃତ ସାମ୍ବାଦିକମାନଙ୍କ ୪୧ଟି ପରିବାରକୁ ଦେଉଥିବା ଆର୍ଥିକ ସହାୟତା ମିଶାଇବା ପରେ କୋଭିଡ ସହ ପ୍ରାଣତ୍ୟାଗ କରିଥିବା ସାମ୍ବାଦିକଙ୍କ ସଂଖ୍ୟା ୬୭କୁ ବୃଦ୍ଧି ପାଇଛି । କମିଟି ପକ୍ଷରୁ ଗଭୀର ଶୋକପ୍ରକଟ କରାଯିବା ସହ ଦିବଂଗତ ସାମ୍ବାଦିକଙ୍କ ପରିବାରବର୍ଗଙ୍କୁ ଶୋକ ସନ୍ଦେଶ ମଧ୍ୟ ଜଣାଇ ଦିଆଯାଇଛି ।

ପତ୍ର ସୂଚନା କାର୍ଯ୍ୟାଳୟ ମଧ୍ୟ ନିଜ ପକ୍ଷରୁ କୋଭିଡ-୧୯ରେ ପ୍ରାଣ ହରାଇଥିବା ସାମ୍ବାଦିକମାନଙ୍କ ପରିବାରବର୍ଗଙ୍କୁ ଦେଖାକରି ସେମାନଙ୍କ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ସହାୟତା ପାଇଁ ଆବେଦନ କରିବାକୁ ପ୍ରବର୍ତ୍ତାଇଥିଲେ । କମିଟି ମଧ୍ୟ ପ୍ରତି ସପ୍ତାହରେ ସାମ୍ବାଦିକ କଲ୍ୟାଣ ଯୋଜନା (JWS) ବୈଠକ କରି ଆର୍ଥିକ ସହାୟତା ପାଇଁ ଆବେଦନକାରୀଙ୍କ ଦରଖାସ୍ତ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନେଇଥିଲେ । କୋଭିଡ-୧୯ ବ୍ୟତୀତ ଅନ୍ୟକାରଣ ଯୋଗୁଁ ପ୍ରାଣ ହରାଇଥିବା ୧୧ଜଣ ସାମ୍ବାଦିକ ପରିବାରର ଦରଖାସ୍ତ ମଧ୍ୟ ଆଜି ବିଚାରକୁ ନେଇଥିଲେ । ଜେଏସଡବ୍ଲୁ ବୈଠକରେ ପିଆଇବିର ପ୍ରଧାନ ମହାନିର୍ଦ୍ଦେଶକ ଜୟଦୀପ ଭଟ୍ଟନାଗର, ମନ୍ତ୍ରଣାଳୟ ଯୁଗ୍ମ ସଚିବ ଶ୍ରୀ ବିକ୍ରମ ସହାୟ, କମିଟିର ସାମ୍ବାଦିକ ପ୍ରତିନିଧି ସନ୍ତୋଷ ଠାକୁର, ଶ୍ରୀ ଅମିତ କୁମାର, ଶ୍ରୀ ଉମେଶ୍ୱର କୁମାର, ଶ୍ରୀମତୀ ସର୍ଜନା ଶର୍ମା ମଧ୍ୟ ଉପସ୍ଥିତ ଥିଲେ । ପିଆଇବି ୱେବସାଇଟ୍ ଜରିଆରେ https://accreditation.pib.gov.in/jws/default.aspx ସାମ୍ବାଦିକ ଓ ସେମାନଙ୍କ ପରିବାର ସାମ୍ବାଦିକ କଲ୍ୟାଣ ଯୋଜନା (JWS)ଅଧୀନରେ ସହାୟତା ପାଇଁ ଆବେଦନ କରିପାରିବେ ।