ନୂଆଦିଲ୍ଲୀ : ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସପ୍ତମ ପର୍ଯ୍ୟାୟରେ ବୈଠକ ଶେଷ ହୋଇଛି । ଆଜି ଚାଷୀ ଏବଂ ସରକାରଙ୍କ ମଧ୍ୟରେ ହୋଇପାରିଲାନି କୌଣସି ସମାଧାନ । କୃଷି ଆଇନକୁ ପ୍ରତ୍ୟାହାର କରି ଅଟଳ ରହିଛନ୍ତି ଚାଷୀ । ତେବେ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଜାନୁଆରୀ ୮ରେ ପୁଣି ହେବ ବୈଠକ ।

ସୂଚନାନୁଯାୟୀ, ଦିଲ୍ଲୀର ବିଜ୍ଞାନ ଭବନରେ ସରକାର ଏବଂ ଚାଷୀମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏଥିରେ ଚାଷୀ ଉଠାଇଥିବା କିଛି ଦାବିକୁ ସରକାର ଗ୍ରହଣ କରିନେଇଥିଲେ । ବିଜୁଳି ବିଲ ଏବଂ ଷ୍ଟାବଲ ଜଳାଇବା ଦାବିକୁ ସରକାର ମାନି ନେଇଥିବା ସୂଚନା ମିଳିଛି । ତେବେ ଅନ୍ୟ ଦାବି ପ୍ରସଙ୍ଗରେ ସରକାରଙ୍କ ସହ ଆଲୋଚନା ବିଫଳ ହୋଇଛି । ତେବେ ଆଜି ହୋଇଥିବା ବୈଠକରେ ଚାଷୀମାନେ କେବଳ ନୂଆ କୃଷି ଆଇନକୁ ଫେରାଇ ନେବା ପାଇଁ ଦାବି କରିଥିଲେ । କିନ୍ତୁ ପ୍ରତିଉତ୍ତର ରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳର ସଦସ୍ୟ ଏହି ଆଲୋଚନା ପାଇଁ ଆଉ ଏକ ତାରିଖ ଧାର୍ଯ୍ୟ କରିବାକୁ କହିଥିଲେ । ଦୁଇ ପକ୍ଷର ଆଲୋଚନା ପରେ ଆସନ୍ତା ଜାନୁୟାରୀ ୮ ତାରିଖରେ ଏ ନେଇ ପୁଣି ଥରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।

ଦୀର୍ଘଦିନ ହେବ ଦିଲ୍ଲୀ ରାଜରାସ୍ତାରେ ଜାରି ରହିଛି ଚାଷୀ ଆନ୍ଦୋଳନ । ପ୍ରବଳ ଥଣ୍ଡା ଓ ଗତକାଲି ବର୍ଷା ହୋଇଥିବା ବେଳେ ସିଙ୍ଘୁ ସୀମା ଓ ଗାଜିପୁର ସୀମାରେ ହଜାର ହଜାର ଚାଷୀ ପ୍ରତିକୁଳ ପରିସ୍ଥିତିରେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି । ଶନିବାର ରାତିରେ ବର୍ଷା ହେବାରୁ ପ୍ରବଳ ଥଣ୍ଡା କାରଣରୁ ଆନ୍ଦୋଳନରତ ଚାଷୀଙ୍କ ସ୍ଥିତି ଆହୁରି ଜଟିଳ ହୋଇଯାଇଛି ।