ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଲା ବସ ଭଡା | ସାଧାରଣ ଓ ଏକ୍ସପ୍ରେସ ବସ ଭଡା କିଲୋମିଟର ପିଛା ୫ ପଇସା ବୃଦ୍ଧି କରାଯାଇଥିବାବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡା କିଲୋମିଟର ପିଛା ୧୦ ପଇସା ବୃଦ୍ଧି କରାଯାଇଛି । ପୂର୍ବରୁ ସାଧାରଣ ବସ୍ ଭଡ଼ା ଥିଲା ୮୦ ପଇସା, ତେବେ ୫ ପଇସା ବୃଦ୍ଧି ପରେ ତାହା ୮୫ ପଇସା ହୋଇଛି । ସେହିପରି ଏକ୍ସପ୍ରେସ ବସ୍ ଭଡ଼ା ଥିଲା ୮୪ ପଇସା,କିନ୍ତୁ ୧୦ ପଇସା ବୃଦ୍ଧି ପରେ ଏହା ୮୯ ପଇସା ବୃଦ୍ଧି ପାଇଛି । ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା ୧୦ ପଇସା ଲେଖାଏଁ ବୃଦ୍ଧି ପାଇଛି।
ଡିଲକ୍ସ ବସ ଭଡ଼ା ଥିଲା ୧. ୧୧ ପଇସା, ବୃଦ୍ଧି ପରେ ୧.୨୧ ପଇସା ହୋଇଛି । ସେହିପରି ଏସି ବସ୍ ଭଡ଼ା ଥିଲା ୧. ୩୯ ପଇସା, ହେଲେ ଏହା ବୃଦ୍ଧି ହୋଇ ୧. ୪୯ ପଇସା ହୋଇଛି । ସୁପର ପ୍ରିମିୟର ଭଡ଼ା ୨. ୧୭ରୁ ୨. ୩୨ ପଇସାକୁ ବଢ଼ିଛି। ତେବେ ତେଲ ଦର ବୃଦ୍ଧି ପାଇବା କାରଣରୁ ରାଜ୍ୟରେ ବସ ଭଡା ବୃଦ୍ଧି କରାଯାଇଛି । ଏନେଇ ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ସୂଚନା ଦେଇଛନ୍ତି । ତେବେ ଲଗାତାର ଭାବେ ରାଜ୍ୟରେ ବସ ଭଡା ବୃଦ୍ଧିକୁ ନେଇ ଯାତ୍ରୀଙ୍କ ଭିତରେ ଅସନ୍ତୋଷ ଭାବ ଦେଖିବାକୁ ମିଳିଛି ।