ବଜେଟ୍ରେ ଯେତିକି ବ୍ୟୟବରାଦ କରାଯାଉଛି ତାହା ବର୍ଷ ସୁଦ୍ଧା ଶେଷ ହୋଇପାରୁନାହିଁ। ବିଗତ ୫ ବର୍ଷରେ ବ୍ୟୟବରାଦ ଅର୍ଥରୁ ୭୬ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇନାହିଁ। ଆବଣ୍ଟିତ ଖର୍ଚ୍ଚ ଓ ପ୍ରକୃତ ଖର୍ଚ୍ଚ ମଧ୍ୟରେ ୧୦ରୁ ୧୨ ପ୍ରତିଶତର ତାରତମ୍ୟ ରହୁଛି ବୋଲି ପୂର୍ବତନ କେନ୍ଦ୍ର ସାର ଓ ଗ୍ରାମୀଣ ବିକାଶ ସଚିବ ଯୁଗଳ କିଶୋର ମହାପାତ୍ର କହିଛନ୍ତି। ସିୱାଇଏସ୍ଡି ପକ୍ଷରୁ ଆୟୋଜିତ ବଜେଟ୍ ୨୦୨୩-୨୪ ଅନୁଶୀଳନ ଆଲୋଚନାରେ ଅଂଶଗ୍ରହଣ କରି ସେ କହିଛନ୍ତି ଯେ ଭିତ୍ତିଭୂମି ଓ ସାମାଜିକ କ୍ଷେତ୍ରରେ ବ୍ୟାପକ ପୁଞ୍ଜି ବ୍ୟୟ ହେଉଥିଲେ ମଧ୍ୟ ନିର୍ଧାରିତ ସମୟ ଭିତରେ ସେଗୁଡ଼ିକର କାର୍ଯ୍ୟ ଶେଷ ହେଉଛି ନା ନାହିଁ ତାହା ଜାଣିବା ଲାଗି କୌଣସି ବ୍ୟବସ୍ଥା ନାହିଁ। ବର୍ଷ ବର୍ଷ ଧରି ବିଭିନ୍ନ ବିଭାଗରେ ଖାଲି ଥିବା ପଦଗୁଡ଼ିକୁ ପୂରଣ କରାଯାଉନାହିଁ। ମଞ୍ଜୁରପ୍ରାପ୍ତ ପଦବୀ ପୂରଣ ନକରି ରାଜସ୍ବ ବଳକା ରାଜ୍ୟ ବୋଲି କହିବାର କିଛି ମାନେ ନାହିଁ ବୋଲି ସେ କହିଛନ୍ତି।
ଅର୍ଥ ବିଭାଗର ଅତିରିକ୍ତ ସଚିବ ଡକ୍ଟର ସତ୍ୟପ୍ରିୟ ରଥ କହିଛନ୍ତି ଯେ ୧୫-୨୦ ବର୍ଷ ପୂର୍ବେ ବଜେଟ୍ ପ୍ରତି ସାଧାରଣ ଲୋକଙ୍କ ଆଗ୍ରହ ରହୁନଥିଲା। ଏବେ ଅଧିକରୁ ଅଧିକ ଲୋକ ଯୋଡ଼ି ହୋଇ ମତ ଦେଉଛନ୍ତି। ସଂଶ୍ରୀଷ୍ଠିର ସଭାପତି ପ୍ରଫେସର ଆଶା ହଂସ, ବିଜେବି କଲେଜର ଅର୍ଥନୀତି ବିଭାଗ ମୁଖ୍ୟ ମଧୁବ୍ରତା ଶତପଥୀ, କିଟ୍ ବିଶ୍ବବିଦ୍ୟାଳୟର ପ୍ରଫେସର ଏସ୍ ଏନ୍ ମିଶ୍ର ପ୍ରମୁଖ ମହିଳା ସଶକ୍ତୀକରଣ, ଲିଙ୍ଗଗତ ନ୍ୟାୟ, ଦକ୍ଷତା ବିକାଶ, ଶିକ୍ଷାର ଗୁଣାତ୍ମକ ମାନ ଓ ଭିତ୍ତିଭୂମି ବିକାଶ ଦିଗରେ ବଜେଟ୍ ଆବଣ୍ଟନକୁ ନେଇ ନିଜ ମତ ଉପସ୍ଥାପତ କରିଥିଲେ। ପ୍ୟାନେଲ୍ ଆଲୋଚନା ପୂର୍ବରୁ ସିୱାଇଏସ୍ଡି ବଜେଟ୍ ଆଣ୍ଡ୍ ଆକାଉଣ୍ଟାବିଲିଟି (ଓବାକ୍) ପକ୍ଷରୁ କୁହାଯାଇଥିଲା ଯେ ୨୦୨୩-୨୪ ବଜେଟ୍ରେ ୨ ଲକ୍ଷ ୩୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଶିକ୍ଷା କ୍ଷେତ୍ରରେ ଖାଲି ପଦ ପୂରଣ ପାଇଁ କୌଣସି ବ୍ୟୟବରାଦ କରାଯାଇନାହିଁ। ଅର୍ଥନୀତିଜ୍ଞ ଡକ୍ଟର ପ୍ରଭାସ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶ୍ରମିକ, କୃଷକ, ବରିଷ୍ଠ ନାଗରିକ ଓ ସାମାଜିକ ସଂଗଠନର ପ୍ରତିନିଧି ଉପସ୍ଥିତ ଥିଲେ। ସିୱାଇଏସ୍ଡି ପକ୍ଷରୁ ବସନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।