ଧଳା ଜହରର ହବ୍ ପାଲଟିଛି ଶ୍ରୀକ୍ଷେତ୍ର। ପୁରୀ ମିଶ୍ର ନୋଳିଆ ସାହିରୁ ଜବତ ହେଲା ବ୍ରାଉନସୁଗର। ମୋଟ ୨୬୭ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଏହି କାରବାରରେ ସମ୍ପୃକ୍ତ ଥିବା ୮ ଜଣ ଗିରଫ ହୋଇଛନ୍ତି। ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ଏନେଇ ଅତିରିକ୍ତ ଏସପି ମିହିର ପଣ୍ଡା ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ୮ ଗିରଫଙ୍କ ମଧ୍ୟରେ ୫ ଜଣ ମହିଳା ଥିବା ବେଳେ ୩ ଜଣ ପୁରୁଷ ସମ୍ପୃକ୍ତ ଅଛନ୍ତି। ସେମାନଙ୍କ ନିକଟରୁ ୫ଟି ମୋବାଇଲ ଓ ନଗଦ ୩୫ ହଜାର ଟଙ୍କା ଜବତ ହୋଇଛି।
ପୁରୀ ବାସେଳୀ ସାହି ଥାନା ଅନ୍ତର୍ଗତ ମିଶ୍ର ନୋଳିଆ ସାହିରେ କିଛି ଅସାଧୁ ବ୍ୟକ୍ତି ନିଜ ଘରେ ଧଳାଜହର କାରବାର କରୁଥିବା ବେଳେ ପ୍ରତିଦିନ ସେଠାରେ ନିଶାଡ଼ିଙ୍କ ଭିଡ ଜମୁଛି। ନିଶାଡ଼ିମାନେ ହାତରେ ପୁଳାପୁଳା ଟଙ୍କା ଧରି ଘର ଭିତରକୁ ବଢାଇବା ପରେ ଏକ ପୁଡିଆରେ ଧଳାଜହର ମିଳିଯାଉଛି। ହାତରେ ପୁଡିଆ ଆସିଗଲା ପରେ ନିଶାଡ଼ିମାନେ ନିଜ ସହଯୋଗୀଙ୍କ ସହ ବାଇକରେ ବସି ପଳାଉଛନ୍ତି। ମିଶ୍ର ନୋଳିଆ ସାହିରେ ଏଭଳି ଖୁଲମଖୁଲା ବ୍ରାଉନ ସୁଗାର ବିକ୍ରି ହେଉଥିବା ଦୃଶ୍ୟ ଗଣମାଧ୍ୟମରେ ପ୍ରସାରଣ ହେବା ପରେ ପୋଲିସର ଚେତା ପଶିଛି।