ମାଲକାନଗିରି: ଚିତ୍ରକୋଣ୍ଡା ଡଙ୍ଗା ବୁଡ଼ି ସାତ ନିଖୋଜ । ତେବେ ନିଖୋଜଙ୍କ ମଧ୍ୟରୁ ଜଣେ ମୃତ । ଏହାସହ ତିନିଜଣଙ୍କୁ ଉଦ୍ଧାର କରାଯାଇଛି । ଏହିପରି ହୃଦୟ ବିଦାରକ ଘଟଣା ଘଟିଛି ଆନ୍ଧ୍ର ସୀମାନ୍ତ ସିଲେରୁ ନଦୀରେ ।
ସୂଚନା ଅନୁଯାୟୀ, ଆନ୍ଧ୍ର ସୀମାନ୍ତରେ ଥିବା ସିଲେରୁ ନଦୀରେ ଦୁଇଟି ଡଙ୍ଗା ବୁଡି ଯାଇଛି । ଚିତ୍ରକୋଣ୍ଡା ବ୍ଳକ୍ ଅନ୍ତର୍ଗତ କନ୍ଧଗୁଡ଼ା ଘାଟରେ ଦୁଇଟି ଦେଶୀ ଡ଼ଙ୍ଗାରେ ପ୍ରାୟ ୧୧ ଜଣ ଯାତ୍ରୀ ଯାଉଥିବା ସମୟରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡି ଯାଇଥିଲା ।ତେବେ ନିଖୋଜ ଓ ମୃତକ ମାନେ ମାଲକାନଗିରିର ଚିତ୍ରକୋଣ୍ଡା ବ୍ଲକ କନ୍ଧଗୁଡ଼ା ଓ ଗୁଣ୍ଠାୱାଡା ଗାଁର ୩ ବର୍ଷର ବାଳିକା ସମେତ ମୋଟ ୧୧ ଜଣ ବ୍ୟକ୍ତି ତେଲେଙ୍ଗାନାର ଏକ ଇଟାଭାଟିରେ କାମ କରିବାକୁ ଯାଇଥିଲେ।ତେବେ ଲକଡାଉନ୍ କଟକଣା ପାଇଁ ଏହି ଶ୍ରମିକମାନେ ଓଡ଼ିଶା ଫେରି ପାରି ନଥିଲେ । ମଙ୍ଗଳବାର ଆନ୍ଧ୍ର ପଥରୁ ଓଡିଶାକୁ ଆସିବାକୁ ଉଦ୍ୟମ କରୁଥିବା ବେଳେ ସିଲେରୁ ନଦୀରେ ଡଙ୍ଗା ଭାରସାମ୍ୟ ହରାଇ ବୁଡି ଯାଇଥିଲା ଫଳରେ ୭ ଜଣ ନିଖୋଜ ହୋଇଯିବା ସହ ଜଣେ ନିଖୋଜଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।ଘଟଣା ସ୍ଥଳରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି ।