ପଶ୍ଚିମବଙ୍ଗର କୁଚ ବିହାରରେ କେନ୍ଦ୍ରମନ୍ତ୍ରୀ ନୀଶୀଥ ପ୍ରାମାଣିକଙ୍କ କନଭୟ ଉପରେ ଆକ୍ରମଣ ହୋଇଛି। ଟିଏମ୍ସି ସମର୍ଥିତ ଗୁଣ୍ଡାଙ୍କ ଦ୍ବାରା ଏହି ଆକ୍ରମଣ ହୋଇଛି ବୋଲି ବିଜେପି କହିଛି। କେନ୍ଦ୍ର ଗୃହ ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପ୍ରାମାଣିକ କୁଚ ବିଚାରର ଦିନହାଟରେ ଦଳୀୟ କର୍ମୀମାନଙ୍କୁ ଭେଟିବାକୁ ଯାଉଥିବା ବେଳେ ତାଙ୍କ କନଭୟ ଉପରେ ପ୍ରବଳ ପଥର ମାଡ଼ ହୋଇଥିଲା। ମନ୍ତ୍ରୀଙ୍କ କାର୍ର ଫ୍ରଣ୍ଟ୍ ୱିଣ୍ଡସିଲ୍ଡ ଭାଙ୍ଗି ଯାଇଥିବା ବେଳେ ଅନେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ମନ୍ତ୍ରୀଙ୍କୁ ମଧ୍ୟ ଆଜି କଳା ପତାକା ପ୍ରଦର୍ଶନ କରାଯାଇଛି।
ବିଜେପି ସମର୍ଥକମାନେ ଉକ୍ତ ଘଟଣାକୁ ବିରୋଧ କରି ଆଜି ପୁଲିସ ବିରୋଧରେ ସ୍ଲୋଗାନ ଦେଇଥିଲେ। ପଶ୍ଚିମବଙ୍ଗ ବିଜେପି ମୁଖପାତ୍ର ଶମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଯଦି ରାଜ୍ୟରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ କାର୍ ଉପରେ ଏଭଳି ଆକ୍ରମଣ ହେଉଛି ତେବେ ସାଧାରଣ ଲୋକ ଏଠି କେତେ ସୁରକ୍ଷିତ। ମନ୍ତ୍ରୀ ପ୍ରାମାଣିକ କହିଛନ୍ତି, ପୁଲିସ ନିରବଦ୍ରଷ୍ଟା ସାଜିଛି ଏବଂ ହିଂସା ଘଟାଉଥିବା ଅଭିଯୁକ୍ତଙ୍କୁ ପୁଲିସ ସୁରକ୍ଷା ଦେଉଛି। ପ୍ରାମାଣିକ କହିଛନ୍ତି, ଟିଏମ୍ସି ଗୁଣ୍ଡାଙ୍କୁ ଆଶ୍ରୟ ଦେଇଛି। ଅନ୍ୟପକ୍ଷେ ଟିଏମ୍ସି ନେତା ଜୟପ୍ରକାଶ ମଜୁମଦାର ଉକ୍ତ ଘଟଣାରେ କଡ଼ା ପ୍ରତିକ୍ରିୟା ରଖି କହିଛନ୍ତି, ଦିଲୀପ ଘୋଷ, ସୁଭେନ୍ଦୁ ଅଧିକାରୀଙ୍କ ପରି ବିଜେପି ନେତାମାନେ ପଶ୍ଚିମବଙ୍ଗରେ ଶାନ୍ତି ନଷ୍ଟ ପାଇଁ କର୍ମୀମାନଙ୍କୁ ଉତ୍ତେଜିତ କରୁଛନ୍ତି।