ସମ୍ବଲପୁର: ମଣ୍ଡି ସମସ୍ୟାକୁ ନେଇ ବିଜେପିର ୯ ଜଣିଆ ପ୍ରତିନିଧି ଦଳ ଏବଂ ଆରଡିସିଙ୍କ ମଧ୍ୟରେ ଆଲୋଚନା ଶେଷ । ଆରଡିସିଙ୍କ ସହ ସକରାତ୍ମକ ଆଲୋଚନା ହୋଇଥିବା କହିଛନ୍ତି ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ । ତେବେ ମଣ୍ଡି ସମସ୍ୟାକୁ ନେଇ ନିଷ୍ପତ୍ତି ନେବା ପାଇଁ ଆରଡିସିଙ୍କୁ ୭୨ ଘଣ୍ଟାର ସମୟ ଦେଇଛି ବିଜେପି ।

ମନ୍ତ୍ରୀ ଜୟନାରାୟଣ ମିଶ୍ର କହିଛନ୍ତି- ୭୨ ଘଣ୍ଟା ଭିତରେ ଚାଷୀଙ୍କ ଦାବି ପୂରଣ ନହେଲେ ୨୫ ତାରିଖରେ ଏକ ବୈଠକ ବସିବ। ଏଥିରେ ଆଲୋଚନା କରାଯାଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ବର୍ତ୍ତମାନ ଆମର ଆନ୍ଦୋଳନ ବନ୍ଦ ହୋଇନାହିଁ। ୭୨ ଘଣ୍ଟା ପାଇଁ ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ଆରଡିସି କାର୍ଯ୍ୟାଳୟରେ ବରିଷ୍ଠ ବିଜେପି ନେତା କେଭି ସିଂ ଦେଓ ଏବଂ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ଆଲୋଚନା କରିଥିଲେ ପ୍ରତିନିଧି ଦଳ ।

ଗତକାଲିଠାରୁ ସମ୍ବଲପୁର ଟାଉନ ଥାନାରେ ରାତି କଟାଇଥିଲେ ବିଜେପି ନେତା । ମଣ୍ଡିରେ ଧାନ ଉଠାଣ ସମସ୍ୟାକୁ ନେଇ ଆଜି ଟାଉନ ଥାନାରେ ଧସେଇ ପଶିବାକୁ ଉଦ୍ୟମ କରି ବିଜେପି ନେତା ଠେଲାପେଲା କରିଥିଲେ । ବିଜେପି ସଭାପତି ଓ ବିରୋଧୀ ଦଳ ନେତାଙ୍କୁ ଗିରଫ ପରେ ଗତକାଲି ଅପରାହ୍ନରେ ଛାଡି ଦେଇଛି ପୋଲିସ । ତଥାପି ଦଳର ନେତାମାନେ ମଣ୍ଡିରେ ଧାନ ଉଠାଇବା ଦାବିରେ ଅଡି ବସିଥିଲେ । ଏବେ ଆରଡିସିଙ୍କ ଆଲୋଚନା କରିବା ପରେ ୭୨ ଘଣ୍ଟାର ସମୟ ଦେଇଛି ବିଜେପି ।