Odia News Portal

ବିଜେପିର ବିଜୁଳି ରାଜନୀତିକୁ ନେଇ ଚର୍ଚ୍ଚା, ଆପ୍ ଭୟ ନୁହେଁ ତ ?

ଭୁବନେଶ୍ୱର : ରାଜ୍ୟ ବିଜେପିର ବିଜୁଳି ରାଜନୀତି ଏବେ ଚର୍ଚ୍ଚାରେ । ବିଜୁଳି ଦର ବଢିବା ପରେ ଖାଉଟିମାନେ ଦୁଇ ଦୁଇ ଥର ବର୍ଦ୍ଧିତ ଦର ଦେଇ ସାରିଲେଣି । ତେବେ ଦର ବଢିବା ଠାରୁ ସେଭଳି ଶାଣିତ ସ୍ୱର ଉଠାଇନଥିବା ବିଜେପି ଏବେ ହଠାତ୍ ପ୍ରତିକ୍ରିୟାଶୀଳ ହେବାକୁ ଅନେକ ହଜମ କରିପାରୁ ନାହାନ୍ତି । ବିଜେପିର ଏହି ପ୍ରତିବାଦ ଲୋକଙ୍କ ପାଇଁ ନା ଦଳକୁ ଏବେ ଆପ୍ ଭୟ ଗୋଡାଇବା ଆରମ୍ଭ କଲାଣି ବୋଲି ଅନେକ ପ୍ରଶ୍ନ କରୁଛନ୍ତି ।

ଯେତେବେଳେ ବିଜୁଳି ଦର ବୃଦ୍ଧି ହେଲା ସେତେବେଳେ ରାଜନୈତିକ ଦଳ ହିସାବରେ ଆପ୍ ଏହାର ଜୋରଦାର ପ୍ରତିବାଦ କରିଥିଲା । ଅନ୍ୟ ରାଜନୈତିକ ଦଳମାନେ ପ୍ରତିବାଦ କରିନଥିଲେ ଯେ ତାହା ନୁହେଁ, ହେଲେ ଆପର ରାଜ୍ୟ ସଭାପତି ନିଶିକାନ୍ତ ମିଶ୍ର ଯେଭଳି ଆମରଣ ଅନଶନ ଚଳାଇଲେ ତାହା ଅନେକଙ୍କୁ ପଛରେ ପକାଇଦେଲା । ସେହିଭଳି ଦରବୃଦ୍ଧିକୁ ନେଇ ବିଧାନସଭାରେ ବିରୋଧିମାନେ କେବଳ ଶକ୍ତିମନ୍ତ୍ରୀଙ୍କ ବିବୃତ୍ତି ଦାବିରେ ଅଟକିଗଲେ । ଶକ୍ତିମନ୍ତ୍ରୀ କହିଲେ ଦର ବୃଦ୍ଧି ହ୍ରାସ ଲାଗି ସରକାର ଓଇଆରସିଙ୍କୁ ଚିଠି ଲେଖିବେ । ଏହା ଶୁଣିବାପରେ ବିରୋଧିମାନେ ଶାନ୍ତ ପଡିଗଲେ । ଏହାପରେ କଂଗ୍ରେସ କିମ୍ବା ବିଜେପି କେହି ହେଲେ ବିଜୁଳି ଦରବୃଦ୍ଧି କଥା ଉଠାଇନଥିଲେ ।

ଏବେ ହଠାତ୍ ବିଜେପିର ବିଜୁଳି ବିରୋଧି ରାଜନୀତି ପୁଣିଥରେ ପ୍ରସଙ୍ଗକୁ ତାଜା କରିଛି । ତେବେ ହେଉଥିବା ଆଲୋଚନା ଅନୁଯାୟୀ କରୋନା ସମୟରେ ବିଜୁଳି ଦରବୃଦ୍ଧି ସାଧାରଣ ଲୋକଙ୍କ ବାଧୁଥିବାବେଳେ ଏହାକୁ ଆଧାର କରି ଆପ୍ ଓଡିଶାରେ ତାହାର ଶକ୍ତି ବଢାଇବାର ଯୋଜନା ଚଳାଇଛି । ଗୋଟିଏ ପଟେ ବିଜୁଳି ବଣ୍ଟନକାରୀ କମ୍ପାନୀ ଟାଟା ପାୱାର ବିରୁଦ୍ଧରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅସନ୍ତୋଷ ବଢି ଚାଲିଥିବାବେଳେ ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ଉପରେ ବୋଝ ହୋଇଗଲାଣି । ତେଣୁ ଏହି ସମୟକୁ ସଦୁପଯୋଗ କରିବାପାଇଁ ଆପର ରାଜ୍ୟ ନେତାମାନେ କେନ୍ଦ୍ରୀୟ ନେତାଙ୍କ ଉପରେ ଚାପ ପକାଉଛନ୍ତି ।

ଆପ୍ ମଧ୍ୟ ଉତ୍ତରପ୍ରଦେଶ, ପଞ୍ଜାବ ଓ ଉତ୍ତରାଖଣ୍ଡ ଭଳି ଓଡିଶାରେ ତାହାର ଶକ୍ତି ବୃଦ୍ଧି ପାଇଁ ଯୋଜନା କରୁଛି । ଦିଲ୍ଲୀରେ ଆପ୍ ଯେଭଳି ଖାଉଟିଙ୍କୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଦେଉଛି ତାହା ଯଦି ଓଡିଶାରେ ଘୋଷଣା କରିଦେବ ତେବେ ରାଜନୀତି ଭିନ୍ନ ରଙ୍ଗ ନେବ । ଦିଲ୍ଲୀ ସରକାର ଓଡିଶା ଭଳି ରାଜ୍ୟରୁ ବିଜୁଳି କିଣି ମାଗଣାରେ ଦେଉଛନ୍ତି । ଯଦି ସେହି ଫର୍ମୁଲା ଓଡିଶାରେ ପକାଇବେ ତେବେ ଅତି କମ୍‍ରେ ରାଜ୍ୟର ଖାଉଟିଙ୍କୁ ୩୦୦ ରୁ ୪୦୦ ୟୁନିଟ୍ ବିଜୁଳି ମାଗଣାରେ ମିଳିଯିବ । ଏହା ଭୋଟରଙ୍କୁ ବେଶ୍ ପ୍ରଭାବିତ କରିବ ବୋଲି ଅନେକ ମତ ଦେଉଛନ୍ତି । ଏହାର ପୂର୍ବାନୁମାନ କରି ବିଜେପି ଏବେ ବିଜୁଳି ରାଜନୀତିନେଇ ରାସ୍ତାକୁ ଆସିଛି । ତେବେ ଦଳର ଆବାସ ଦୁର୍ନୀତି ରାଜନୀତି ସେଭଳି ଦାନା ଧରିନଥିବାବେଳେ ବିଜୁଳି ରାଜନୀତି କେତେଦୂର ଫଳପ୍ରଦ ହେବ ତାହା ଉପରେ ଏବେ ସମସ୍ତଙ୍କ ନଜର ।