ଭୁବନେଶ୍ୱର: ଲଗାତାର ୫ ଦିନ ହେଲା ମଣ୍ଡି ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା କରୁଛନ୍ତି ବିରୋଧୀ । ହଟ୍ଟଗୋଳ ଯୋଗୁଁ ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରୁଛନ୍ତି ବାଚସ୍ପତି । ଆଜି ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରାଯାଇଛି । ବିରୋଧୀ ମଣ୍ଡି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ଦାବିରେ ବିଜେଡି ବିଧାୟକ ।ତେବେ ଗୃହ ମୁଲତବୀ ହେବା ପରେ ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ଦେଇଛନ୍ତି ବିଜେଡି ସଦସ୍ୟ । ବିଧାନସଭାରୁ ପଦଯାତ୍ରାରେ ରାଜଭବନ ଅଭିମୁଖେ ଯାଇଥିଲେ ବିଜେଡି ବିଧାୟକ । ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବିଧାନସଭାରେ ସାନିଟାଇଜର ପିଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରି ଗୃହର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଛନ୍ତି ।ତେଣୁ ସେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ରାଜ୍ୟପାଳଙ୍କ ପାଖରେ ଦାବି ରଖିଛନ୍ତି ବିଜେଡି ବିଧାୟକ ।

ଅନ୍ୟପକ୍ଷେ ସୁବାସ ପାଣିଗ୍ରାହୀ ନିଃସର୍ତ୍ତ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାଶ। ‘ଆତ୍ମହତ୍ୟା ଏକ ଅପରାଧପ୍ରବଣ ମାନସିକତା ଏଣୁ ବିଧାୟକ କ୍ଷମା ମାଗିବା ଉଚିତ୍ ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାଶ। ସୁବାସ ପାଣିଗ୍ରାହୀ ବେଆଇନ କାମ କରିଛନ୍ତି, ସେ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ରୋହିତ ପୂଜାରୀ କହିଛନ୍ତି। ବିଜେପି ସଦସ୍ୟମାନେ ଗୃହକୁ ଚଳାଇ ଦେଉନାହାନ୍ତି। ସେମାନେ ଗୃହର ମର୍ଯ୍ୟାଦା ହାନି କରୁଥିବା କହିଛନ୍ତି ବିଧାୟକ ଶଶି ଭୂଷଣ ବେହେରା। ବିଧାନସଭା ଏକ ଆଲୋଚନାର ଗୃହ, ଆତ୍ମହତ୍ୟାର ଗୃହ ନୁହେଁ ବୋଲି କହିଛନ୍ତି ପ୍ରଣବ ବଳବନ୍ତରାୟ। ସେହିଭଳି ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଏହା ବିଜେପି ବିଧାୟକଙ୍କ ଅପରିପକ୍ୱତା।