Odia News Portal

ବିଜୁଳି ଦର ବୃଦ୍ଧି କଥା ବିଜେପି କହିବା ହାସ୍ୟାସ୍ପଦ: ବିଜେଡି

ଭୁବନେଶ୍ୱର: ବିଜୁଳି ଦର ବୃଦ୍ଧି ନେଇ ଓଡିଶା ବିଜେପି ନେତାମାନେ କହିବା ଅତ୍ୟନ୍ତ ହାସ୍ୟାସ୍ପଦ । କାରଣ ବିଜେପି ଶାସିତ ରାଜ୍ୟଗୁଡିକରେ ବିଦ୍ୟୁତ‌‌ ଦରବୃଦ୍ଧି ଓଡିଶା ଠାରୁ ଢେର ଅଧିକ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ବିଜେପି ଶାସିତ ରାଜ୍ୟ ବିହାରରେ ଚଳିତବର୍ଷ ମାର୍ଚ୍ଚ ୨୬ ତାରିଖରେ ବିଦ୍ୟୁତ‌ ଦର ୟୁନିଟ୍‌ ପିଛା ୩୫ ପଇସା ବଢିଥିବାବେଳେ ଅନ୍ୟତମ ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶରେ ଗତବର୍ଷ ଏହା ୬୪ ପଇସା ବୃଦ୍ଧି ପାଇଥିଲା ।

ମଧ୍ୟପ୍ରଦେଶର ବିଜେପି ସରକାର ଗତବର୍ଷ ବିଦ୍ୟୁତ ଦର ଢେର ଅଧିକ ପରିମାଣରେ ବଢ଼ାଇଥିଲେ । ସେହିଭଳି ବିଜେପି ଶାସିତ ରାଜ୍ୟ କର୍ଣ୍ଣାଟକରେ ଗତବର୍ଷ ନଭେମ୍ବର ୨୦ ତାରିଖରେ ବିଦ୍ୟୁତ‌ ଦର ୟୁନିଟ୍‌ ପିଛା ୪୦ ପଇସା ବୃଦ୍ଧି ପାଇଥିଲା । ବିଜେପି ଅନ୍ୟ ରାଜ୍ୟଗୁଡିକରେ ବିଜୁଳି ଦର ବଢ଼ାଉଥିବାବେଳେ ରାଜ୍ୟ ବିଜେପି ଏହାକୁ ଯଥାର୍ଥ ବୋଲି ଦର୍ଶାଉଛି । କିନ୍ତୁ ଯେତେବେଳେ ଓଡିଶା କଥା ଆସୁଛି ସେତେବେଳେ ବିଜେପି ଗଳି କନ୍ଦିରେ ପ୍ରଦର୍ଶନ କରୁଛି । ଓଡିଶାବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ରାଜ୍ୟ ବିଜେପିର ଏଭଳି ଦୋମୁହାଁ ନୀତି ଓ କୁମ୍ଭୀର କାନ୍ଦଣା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ବିଜେପି ଭଲଭାବେ ଜାଣିଛି ଓଡିଶା ସରକାର ବିଦ୍ୟୁତ‌ ଦର ବଢ଼ାନ୍ତି ନାହିଁ । ଓଡିଶା ବିଦ୍ୟୁତ‌ ନିୟାମକ ଆୟୋଗ (ଓଇଆରସି) ଯାହାକି ଏକ ସ୍ୱାଧୀନ ସଂସ୍ଥା ସିଏ ହିଁ ବିଦ୍ୟୁତ‌ ଦରବୃଦ୍ଧି ସଂକ୍ରାନ୍ତରେ ନିଷ୍ପତ୍ତି ନେଇଥାଏ । ଏହା ଜାଣି ବି ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ବିଜେପି ଶସ୍ତା ରାଜନୀତି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଓଡିଶାର ସାମଗ୍ରିକ ବିକାଶ ପାଇଁ ବିଜେଡି ପ୍ରତିଶ୍ରୁତିବଦ୍ଧ ଏବଂ ଓଡିଶାବାସୀଙ୍କ ସ୍ୱାର୍ଥ ପ୍ରସଙ୍ଗରେ ବେଶ୍‌ ସମ୍ବେଦନଶୀଳ । ବିଜେଡି ସରକାରକୁ ପରାମର୍ଶ ଦେବା ପୂର୍ବରୁ ଓଡିଶାର ବିଜେପି ନେତାମାନେ ବିଜେପି ଶାସିତ ରାଜ୍ୟରେ ବୃଦ୍ଧି ପାଇଥିବା ବିଦ୍ୟୁତ ଦର ହ୍ରାସ ପାଇଁ ନିଜ ଦଳକୁ ପରାମର୍ଶ ଦିଅନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।