କେରଳ : ଚିନ୍ତା ବଢ଼ାଇଲା ବାର୍ଡ ଫ୍ଲୁ । ଦେଶର ଅନେକ ରାଜ୍ୟରେ ବ୍ୟପିବାରେ ଲାଗିଛି ବାର୍ଡ ଫ୍ଲୁ | ରାଜସ୍ଥାନ, ମଧ୍ୟ ପ୍ରଦେଶ ପରେ ହିମାଚଳ ପ୍ରଦେଶ ଏବଂ କେରଳରେ ବ୍ୟାପୁଛି ବାର୍ଡ ଫ୍ଲୁର ଆତଙ୍କ । ଏହାକୁ ନଜରରେ ରଖି ବିଭିନ୍ନ ରାଜ୍ୟର ସରକାର ସତର୍କତା ଜାରି କରିଛନ୍ତି । ତେବେ କେରଳ ସରକାର ଏହାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି । କେରଳର କୋଟ୍ଟାୟମ ଏବଂ ଅଲପୂଜା ଜିଲ୍ଲାରେ ବାର୍ଡ ଫ୍ଲୁ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ସତର୍କ ହୋଇ ଯାଇଛନ୍ତି। ଏହାକୁ ବିପର୍ଯ୍ୟୟ ଘୋଷଣା କରିଛନ୍ତି। ଅଧିକାରୀ ବାର୍ଡ ଫ୍ଲୁର ବିପଦକୁ ଦୃଷ୍ଟିରେ ରଖି ପ୍ରଭାବିତ ଅଞ୍ଚଳର ଏକ କିଲୋମିଟର ପରିଧି ଭିତରେ ହଜାର ହଜାର ସଂଖ୍ୟକ ବତକ, କୁକୁଡା ଏବଂ ଅନ୍ୟ ପକ୍ଷୀଙ୍କୁ ମାରିବାକୁ ଆଦେଶ ଦିଆଯାଇଛି ।

ସେହିଭଳି ମଧ୍ୟ ପ୍ରଦେଶରେ ୨୩ ଡିସେମ୍ବରରୁ ୩ ଜାନୁଆରୀ ମଧ୍ୟରେ ୩୭୬ଟି କାଉର ମୃତ୍ୟୁ ହୋଇଛି । ଏଥିରୁ ପ୍ରାୟ ୧୪୨ଟି ମୃତ୍ୟୁ ଇନ୍ଦୋର ସହରରେ ହୋଇଛି । ଏହାବ୍ୟତୀତ ସନ୍ଦସୌରରେ ୧୦୦, ଆଗର ମାଲୱାରେ ୧୧୨, ଖରଗୋନ ଜିଲ୍ଲାରେ ୧୩, ସିହୋରରେ ୯ ଟି କାଉର ମୃତ୍ୟୁ ହୋଇଛି । ପଶୁପାଳନ ମନ୍ତ୍ରୀ ପ୍ରେମ ସିଂ ପଟେଲ ସୂଚନା ଦେଇଛନ୍ତି ଯେ, ମୃତ କାଉ ମାନଙ୍କ ସ୍ୟାମ୍ପୁଲ ଭୋପାଳର ଷ୍ଟେଟ ଡି.ଆଇ ଲ୍ୟାବ ପଠାଯାଇଛି । ଇନ୍ଦୋର ଏବଂ ସନ୍ଦସୌରକୁ ପଠାଯାଇଥିବା ସ୍ୟାମ୍ପୁଲରେ ବାର୍ଡ ଫ୍ଲୁର ଭାଇରସ ଥିବା ନିଶ୍ଚିତ କରାଯାଇଛି ।